
ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.) - ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ଶିବିର ଓ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଆୟୁକ୍ତ ଯୋଗ ଦେଇ କହିଥିଲେ ଅନେକ ସମୟରେ ଶାରୀରିକ ଭାବରେ ଠିକ ଥିଲେ ମଧ୍ୟ ମାନସିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆମେ ଅଭିନ୍ନ ଅଛୁ, ଯାହା ବେଳେବେଳେ ଆମକୁ ଜଣା ପଡ଼ିନଥାଏ । ଆଜିକାର ଏହି କୁଇଜ ପ୍ରତିଯୋଗିତା ଏକ ପ୍ରତିଯୋଗିତା ନୁହେଁ । ଏହା ଏକ ସଚେତନତା କାର୍ଯ୍ୟକ୍ରମ ଓ ସାମାଜିକ ସଚେତନତା ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୂଳପତି, ପ୍ରଫେସର ଜ୍ୟୋସ୍ନା କେ.ଭି. ରାଉତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ, କୌଣସି କାମ ବ। ସମସ୍ୟାର ସମାଧାନ କରିବାକୁ ହେଲେ ଆମକୁ ଧୌର୍ଯ୍ୟର ସହ କାମ କରିବା ହେବ । ଯାହା ସମସ୍ତଙ୍କ ପାଖରେ ସମ୍ଭବ ହୋଇ ନଥାଏ । ବିଶେଷ କରି ସେମାନଙ୍କ ପାଖରେ ଥାଏ ଯେଉଁମାନେ ସମାଜକୁ ଦେଇ ଚାଲିଛନ୍ତି ଏବଂ ଦେଇ ଚାଲିବେ । ତେଣୁ ଏହି ଦିବସ ବହୁ ସ୍ମରଣୀୟ ଦିବସ ।
ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ନିର୍ଦ୍ଦେଶକ, ଡଃ ସରୋଜ ଲକ୍ଷ୍ମୀ ସିଂହ ଯୋଗଦେଇ କହିଥିଲେ ଭିନ୍ନକ୍ଷମମାନେ ବିଭିନ୍ନ ଭାବରେ ସକ୍ଷମ । ସେମାନେ ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡା କ୍ଷେତ୍ରରେ ମଧ୍ୟ ସେମାନେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ଏବଂ ରାଜ୍ୟ ପାଇଁ ମଧ୍ୟ ସୁନାମ ଆଣି ପାରିଛନ୍ତି । ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟାଳୟର ଓଏସଡି ଶ୍ରୀ ଦେବୀ ପ୍ରସାଦ ବାରିକ ଯୋଗଦେବା ସହ ନିଜର ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରୀ, ବିଶ୍ୱ ବନ୍ଦିତା ସଙ୍ଗୀତ ପରିବେଷଣ କରିଥିବା ବେଳେ ଅନ୍ୟ ଜଣେ ଛାତ୍ରୀ ବିହୁ ନୃତ୍ୟ ପ୍ରଦର୍ଶନ କରିଥିଲେ ।
ଶ୍ରୀ ରାଜ କିଶୋର ଶର୍ମା, ଗବେଷକ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଓ ଅଧିନିୟମ ୨୦୧୬ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ଗୃପ କରି କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି କୁଇଜ୍ ପ୍ରତିଯୋଗିତାର ବିଭନ୍ନ କଲେଜର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହା ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ଓ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା