
ଜୟପୁର, ୦୮ ସେପ୍ଟେମ୍ବର (ହି.ସ.) - ଜୟପୁର ‘ଆମ ବସ୍ଷ୍ଟାଣ୍ଡ’ରେ ଅଧାପନ୍ତରିଆ ଓ ମନ୍ଥର ଗତିରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଏବେ ବ୍ୟବସାୟୀ ଓ ଯାତ୍ରୀଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି। ଡ୍ରେନେଜ୍, ବିଦ୍ୟୁତ୍ ସଂଯୋଗ ଓ ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ନେଇ ବସ୍ଷ୍ଟାଣ୍ଡର ଷ୍ଟଲ୍ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ଦାବି କରି ସେମାନେ ଉପଜିଲ୍ଲାପାଳ ତଥା ସବ୍-ଡିଭିଜନାଲ୍ ‘ଆମ ବସ୍ଷ୍ଟାଣ୍ଡ’ କମିଟି ଅଧ୍ୟକ୍ଷଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ, ବସ୍ଷ୍ଟାଣ୍ଡ ପରିସରରେ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଗତ ବର୍ଷ ବର୍ଷାଦିନେ ପ୍ରାୟ ୪ ମାସ ଧରି ପାଣି ଜମି ରହିଥିଲା। ଦୁର୍ଗନ୍ଧଯୁକ୍ତ ପାଣି ଜମିବା ଯୋଗୁଁ ମଶା ଓ ମାଛିଙ୍କ ପ୍ରାଦୁର୍ଭାବ ବଢ଼ିଥିଲା। ଏହାର ପ୍ରଭାବରେ ଯାତ୍ରୀମାନେ ହଇରାଣ ହେବା ସହ ବ୍ୟବସାୟ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ସେମାନେ କହିଛନ୍ତି। ଆଗାମୀ ବର୍ଷା ଋତୁକୁ ନେଇ ମଧ୍ୟ ବ୍ୟବସାୟୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ସେହିପରି ଷ୍ଟଲ୍ଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ ମିଳିନଥିବା ମଧ୍ୟ ଅନ୍ୟତମ ସମସ୍ୟା ବୋଲି ବ୍ୟବସାୟୀମାନେ କହିଛନ୍ତି। ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ଆବଶ୍ୟକ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଂଟ ସ୍ଥାପନ ହୋଇନଥିବାରୁ ସଂଯୋଗ ମିଳିପାରିନାହିଁ। ଫଳରେ ଦୋକାନ ଚଳାଇବାରେ ବ୍ୟବସାୟୀମାନେ ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି। ବ୍ୟବସାୟୀଙ୍କ କହିବାନୁଯାୟୀ, ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବାର ପ୍ରାୟ ବର୍ଷକ ମଧ୍ୟରେ ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗତ ପ୍ରାୟ ୩ ମାସ ହେଲା ଏହି କାମ ଚାଲିଥିବା ବେଳେ ଏହା ସମ୍ପୂର୍ଣ୍ଣ ହେବାକୁ ଆହୁରି ୨ ମାସରୁ ଅଧିକ ସମୟ ଲାଗିବ ବୋଲି ସେମାନେ ଆଶଙ୍କା କରିଛନ୍ତି। ଦୈନିକ ମାତ୍ର ୧ରୁ ୨ ଘଂଟା କାମ ହେଉଥିବା ଏବଂ ଏହାପରେ ୮ରୁ ୧୦ ଦିନ ପର୍ଯ୍ୟନ୍ତ କାମ ବନ୍ଦ ରହୁଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ଅଳ୍ପ ଦିନରେ ସରିବାକୁ ଥିବା କାମ ଦୀର୍ଘ ସମୟ ଧରି ଝୁଲି ରହୁଥିବା ସେମାନଙ୍କ ଅଭିଯୋଗ। ଅନ୍ୟପକ୍ଷରେ, ବସ୍ଷ୍ଟାଣ୍ଡର ପ୍ରତ୍ୟେକ ଷ୍ଟଲ୍ ପାଇଁ ମାସିକ ୮ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଭଡ଼ା ଦେବାକୁ ପଡ଼ୁଛି। ନିର୍ମାଣ କାର୍ଯ୍ୟ ଯୋଗୁଁ ବ୍ୟବସାୟ ମାନ୍ଦା ରହୁଥିବାରୁ ବ୍ୟାଙ୍କ ଋଣ ପରିଶୋଧ ସହ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଥିବା ବ୍ୟବସାୟୀମାନେ କହିଛନ୍ତି। ତେଣୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଷ୍ଟଲ୍ ଭଡ଼ା ଛାଡ଼ କରିବା, ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ କରିବା, ତୁରନ୍ତ ବିଦ୍ୟୁତ୍ ସଂଯୋଗ ଯୋଗାଇଦେବା ଏବଂ ଆଗାମୀ ବର୍ଷା ଋତୁ ପୂର୍ବରୁ ସମସ୍ତ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଶେଷ କରିବାକୁ ବ୍ୟବସାୟୀ ସଂଘ ଦାବି କରିଛି। ଉପ ଜିଲାପାଳ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି