ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ ଉତ୍କଳା : ଶ୍ରୀ ଗଣେଶ ଶୁଭାରମ୍ଭ
ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.) - ଭୁବନେଶ୍ୱରସ୍ଥିତ ଏକାମ୍ର ହାଟଠାରେ ମଙ୍ଗଳବାର ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ “ଉତ୍କଳା : ଶ୍ରୀ ଗଣେଶ”ର ଶୁଭାରମ୍ଭ ହୋଇଛି। ଏହି ପ୍ରଦର୍ଶନୀ ଚଳିତ
ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ ଉତ୍କଳା : ଶ୍ରୀ ଗଣେଶ ଶୁଭାରମ୍ଭ


ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.) - ଭୁବନେଶ୍ୱରସ୍ଥିତ ଏକାମ୍ର ହାଟଠାରେ ମଙ୍ଗଳବାର ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ “ଉତ୍କଳା : ଶ୍ରୀ ଗଣେଶ”ର ଶୁଭାରମ୍ଭ ହୋଇଛି। ଏହି ପ୍ରଦର୍ଶନୀ ଚଳିତ ମାସ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରଦର୍ଶନୀରେ ୧୬ଟି ଜିଲ୍ଲାର ୩୪ ଜଣ ହସ୍ତଶିଳ୍ପୀ ଅଂଶଗ୍ରହଣ କରିଥିବା ବେଳେ ୩୩ଟି ଷ୍ଟଲ୍ ସ୍ଥାପନ କରାଯାଇଛି। ପ୍ରଦର୍ଶନୀଟି ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଭାଗର କମିଶନର-ତଥା-ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାରଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

“ଉତ୍କଳା” ହେଉଛି ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପର ପରମ୍ପରାକୁ ଏକ ନୂତନ ପରିଚୟ ପ୍ରଦାନ କରିବାର ଏକ ପ୍ରୟାସ। ଏହା ଆମ ରାଜ୍ୟର ଦକ୍ଷ ହସ୍ତଶିଳ୍ପୀମାନଙ୍କ ସୃଜନଶୀଳତା, ପାରମ୍ପରିକ ଜ୍ଞାନ ଓ ଅନନ୍ୟ କାରିଗରୀକୁ ଲୋକମାନଙ୍କ ନିକଟତର କରିବା ପାଇଁ ଏକ ଶକ୍ତିଶାଳୀ ମଂଚ। “ଉତ୍କଳା” ବ୍ରାଣ୍ଡ ଅଧୀନରେ ଆୟୋଜିତ ବିଭିନ୍ନ ରାଜ୍ୟସ୍ତରୀୟ ମେଳା ଓ ପ୍ରଦର୍ଶନୀ ମାଧ୍ୟମରେ ରାଜ୍ୟ ସରକାର ହସ୍ତଶିଳ୍ପୀମାନଙ୍କୁ ସିଧାସଳଖ ଗ୍ରାହକଙ୍କ ସହ ଯୋଡ଼ିବା ସହ ସେମାନଙ୍କ ଉତ୍ପାଦ ପାଇଁ ବ୍ୟାପକ ବଜାର ସୃଷ୍ଟି କରୁଛନ୍ତି। ଏହା ହସ୍ତଶିଳ୍ପୀମାନଙ୍କ ଆୟ ବୃଦ୍ଧି କରିବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିବାରେ ସହାୟକ ହେଉଛି। “ଉତ୍କଳା”ର ମୂଳ ଚିନ୍ତାଧାରା ହେଉଛି “ସ୍ଥାନୀୟ ଉତ୍ପାଦକୁ ଆପଣାନ୍ତୁ ଏବଂ ସ୍ଥାନୀୟ ହସ୍ତଶିଳ୍ପୀଙ୍କୁ ସମର୍ଥନ କରନ୍ତୁ।” ଯେତେବେଳେ ଆମେ ଓଡ଼ିଶାର ହସ୍ତଶିଳ୍ପ ସାମଗ୍ରୀ କିଣୁ, ସେତେବେଳେ ଆମେ କେବଳ ଏକ ଉତ୍ପାଦ କିଣୁନାହୁଁ—ଆମେ ଜଣେ ହସ୍ତଶିଳ୍ପୀଙ୍କ କଠିନ ପରିଶ୍ରମକୁ ସମ୍ମାନ ଦେଉଛୁ, ତାଙ୍କ ପରିବାରର ଜୀବିକାକୁ ସମର୍ଥନ କରୁଛୁ ଏବଂ ଆମ ରାଜ୍ୟର ଐତିହ୍ୟକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖୁଛୁ। “ଉତ୍କଳା”ର ଦର୍ଶନ “ଭୋକାଲ୍ ଫର୍ ଲୋକାଲ୍” ଓ “ଆତ୍ମନିର୍ଭର ଭାରତ”ର ଲକ୍ଷ୍ୟ ସହ ସମନ୍ୱିତ।

“ଉତ୍କଳା” ବ୍ରାଣ୍ଡ ଅଧୀନରେ ଏହି ପ୍ରଦର୍ଶନୀର ଥିମ୍ ହେଉଛି “ଶ୍ରୀ ଗଣେଶ”। ମାଟି, କାଠ, ପଥର, ଟେରାକୋଟା, ଧାନ, ନଡ଼ିଆ କତା, ପିତଳ ଓ କଂସା ଭଳି ବିଭିନ୍ନ ସାମଗ୍ରୀରେ ନିର୍ମିତ ଗଣେଶ ମୂର୍ତି, ପଟ୍ଟଚିତ୍ର ଓ ଗଣେଶ କଳାକୃତି ସହିତ ତାଳପତ୍ର ଉପରେ ନିର୍ମିତ ଗଣେଶ କଳାକୃତିକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଯାଇଛି। ଆଗାମୀ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ଏହି ପ୍ରଦର୍ଶନୀକୁ ବିକ୍ରୟ ଓ ପ୍ରଦର୍ଶନ ଉଭୟ ଉଦ୍ଦେଶ୍ୟରେ ଆୟୋଜନ କରାଯାଇଛି। ବିକ୍ରୟ ବୃଦ୍ଧି ହେଲେ ହସ୍ତଶିଳ୍ପୀମାନଙ୍କ ଆର୍ôଥକ ସମୃଦ୍ଧିରେ ଏହା ଅବଦାନ ରଖିବ।

ଯେପରି ଭଗବାନ ଗଣେଶ ଶୁଭାରମ୍ଭ, ଜ୍ଞାନ, ସମୃଦ୍ଧି ଓ ବିଘ୍ନ ବିନାଶର ପ୍ରତୀକ, ସେହିପରି “ଉତ୍କଳା” ଓଡ଼ିଶାର ହସ୍ତଶିଳ୍ପ କ୍ଷେତ୍ରରେ ଏକ ନୂତନ ଯାତ୍ରାର ପ୍ରତୀକ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande