
ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକ୍ ଅନ୍ତର୍ଗତ ସରମରା ପ୍ରାଥମିକ କୃଷି ସମବାୟ ସମିତି ରେ କେଏମଏସ ୨୦୨୫-୨୬ ଖରିଫ ଓ ରବି ଋତୁର ଧାନ ସଂଗ୍ରହ ସମୟରେ ଚାଷୀ ପଞ୍ଜିକରଣରେ ବ୍ୟାପକ ଅନିୟମିତତା ଓ ଜାଲିଆତି ଅଭିଯୋଗ ପ୍ରମାଣିତ ହୋଇଛି। ତଦନ୍ତ ରିପୋର୍ଟ ଅନୁଯାୟୀ, ଅନ୍ୟ ବ୍ୟକ୍ତିଙ୍କ ଜମିକୁ ବେଆଇନ ଭାବେ ନିଜ ନାମରେ / ଅନ୍ୟ ନାମରେ ପଞ୍ଜିକରଣ କରି ଧାନ ବିକ୍ରି କରିଥିବା ଘଟଣା ସାମ୍ନାକୁ ଆସିଛି। ଏଥିପାଇଁ ସମିତିର ସମ୍ପାଦକ ନିତ୍ୟାନନ୍ଦ ନାୟକ ଏବଂ ଡାଟା ଏଂଟ୍ରି ଅପରେଟର ଦୀପେନ୍ଦ୍ର ପ୍ରଧାନ ସିଧାସଳଖ ଦାୟୀ ବୋଲି ତଦନ୍ତରୁ ଜଣାପଡ଼ିଛି। ପୂର୍ବରୁ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୌଣସି ସନ୍ତୋଷଜନକ ଉତର ଦେଇ ନ ଥିଲେ। ଏହି ପରିପ୍ରେକ୍ଷୀରେ ଭଦ୍ରକ ଡିଭିଜନର ସମବାୟ ସମିତିର ଉପ-ପଞ୍ଜିକ ଭଦ୍ରକଙ୍କ ନିର୍ଦ୍ଦେଶକ୍ରମେ ବନ୍ତ ଥାନାରେ ଉଭୟଙ୍କ ବିରୁଦ୍ଧରେ ୠଓଜ ରୁଜୁ ପାଇଁ ପଦକ୍ଷେପ ନିଆଯାଇଛି ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ