
ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.) - କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମଙ୍ଗଳବାର ‘ଅଧିକ ଅମଳ ପାଇଁ ଆଧୁନିକ ପ୍ରଣାଳୀରେ ଆଖୁଚାଷ ’ ଶୀର୍ଷକ ଏକ ଦୁଇଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି । ‘ଆଖୁ ବିକାଶ ଉପରେ ପ୍ରଯୁକ୍ତିବିଦ୍ୟା ମିଶନ୍’ ରାଜ୍ୟ ଯୋଜନା ଅଧୀନରେ କୃଷି ଭବନଠାରେ ଆୟୋଜିତ ଏହି କର୍ମଶାଳାରେ କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଏବଂ କଳାହାଣ୍ଡି ଭଳି ପ୍ରମୁଖ ଆଖୁ ଚାଷ କରୁଥିବା ଜିଲ୍ଲାଗୁଡ଼ିକରେ ପ୍ରଯୁକ୍ତିବିଦ୍ୟା ପ୍ରସାରକୁ ତ୍ୱରାନ୍ୱିତ କରିବା, କୃଷକ ଉତ୍ପାଦକ ସଂଗଠନ-ଭିତିକ ବଜାର ସଂଯୋଗକୁ ସୁଦୃଢ଼ କରିବା ଏବଂ କୃଷି ଉତ୍ପାଦକତାକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ ଉଦ୍ଘାଟନୀ ଅଧିବେଶନରେ ଯୋଗଦେଇ ଆଖୁର ମୂଲ୍ୟବୃଦ୍ଧି ଓ ଚାଷ ଖର୍ଚ୍ଚ ହ୍ରାସ ଉପରେ ସରକାର ନେଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । କୃଷି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରଭାତ କୁମାର ରାଉଳ, କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ମୃତିକା ସଂରକ୍ଷଣ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଏହି କର୍ମଶାଳାରେ ଯୋଗଦେଇଥିଲେ ।
କର୍ମଶାଳାରେ କୃଷକମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଲେ ଯେ ଓଡ଼ିଶାରେ ଗ୍ରାମୀଣ ଜୀବିକା ନିର୍ବାହରେ ଆଖୁଚାଷର ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ଆଧୁନିକ କୃଷି ପଦ୍ଧତି, ସଠିକ ଜଳସେଚନ ଏବଂ ଉଚ୍ଚ-ଅମଳକ୍ଷମ କିସମ ବିହନ ଉପଯୋଗ କରି ହାରାହାରି ଉତ୍ପାଦକତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ଆମର ଲକ୍ଷ୍ୟ । ଆମର ଚାଷୀମାନେ କିପରି କମ ଖର୍ଚ୍ଚରେ ଅଧିକ ଚାଷ କରିପାରିବେ, ତାହାକୁ ଦୃଷ୍ଟିରେ ରଖି ଆମେ ଆଖୁ ବିକାଶ ଉପରେ ପ୍ରଯୁକ୍ତିବିଦ୍ୟା ମିଶନ ମାଧ୍ୟମରେ ଗବେଷଣାଲବ୍ଧ ଜ୍ଞାନକୁ ପ୍ରୟୋଗଶାଳାରୁ ସିଧାସଳଖ ଆମ ଖେତକୁ ଆଣୁଛୁ । ଆମକୁ ପୁଣି ଥରେ ଆଖୁ ଉତ୍ପାଦନରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ କରିବାକୁ ପଡିବ ବୋଲି ସେ ଉଲ୍ଲେଖ କରିଛନ୍ତି ।
ସମବାୟ ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଲେ ଯେ ଆଖୁ ଚାଷୀମାନଙ୍କୁ ସିଧାସଳଖ ବଜାର ସଂଯୋଗ ସହ ସର୍ବାଧିକ ଲାଭ ପାଇଁ ସମବାୟ ମଡେଲ ଏବଂ କୃଷକ ଉତ୍ପାଦକ ସଂଗଠନ ସହିତ ସଂଯୋଗ କରିବା ଗୁରୁତ୍ୱପୂର୍ଣ୍ଣ । ଚିନି କଳ, ଗବେଷଣା ପ୍ରତିଷ୍ଠାନ ଏବଂ କୃଷକ ଉତ୍ପାଦକ ସଂଗଠନ ମଧ୍ୟରେ ସୁଦୃଢ଼ ସମନ୍ୱୟ ଦ୍ୱାରା ଆମର ଚାଷୀମାନଙ୍କ ପାଇଁ ସମୟୋଚିତ କ୍ରୟ, ଉତମ ଚିନି ଉତ୍ପାଦନ ଏବଂ ସ୍ୱଚ୍ଛ ମୂଲ୍ୟ ସୁନିଶ୍ଚିତ ହୋଇପାରିବ ବୋଲି ସେ ମତ ଦେଇଛନ୍ତି ।
ଏହି ଦୁଇଦିନିଆ କର୍ମଶାଳାରେ ଆଇସିଏଆର-ଆଇଆଇଏସ୍ଆର, ଆଇସିଏଆର-ଏସ୍ବିଆଇ, ଆଇସିଏଆର-ଆଇଆଇଡବ୍ଲ୍ୟୁଏମ୍, ଓୟୁଏଟି ଏବଂ ଆଇସିଏଆର-ସିଆରଆରଆଇ ପରି ଜାତୀୟ ଗବେଷଣା ସଂସ୍ଥାର ବିଶିଷ୍ଟ ବୈଜ୍ଞାନିକମାନଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଷୟିକ ଅଧିବେଶନଗୁଡ଼ିକରେ ଉଚ୍ଚ-ଅମଳକାରୀ କିସମ, ମୃତିକା ସ୍ୱାସ୍ଥ୍ୟ, ସମନ୍ୱିତ ପୁଷ୍ଟି ଏବଂ କୀଟ ପରିଚାଳନା, ସଠିକ୍ ଜଳସେଚନ ଏବଂ କୃଷି ଯାନ୍ତ୍ରିକୀକରଣ ବିଷୟରେ ଆଲୋଚନା କରାଯାଇଛି। ଏହି କର୍ମଶାଳା ଚାଷୀ ଓ ବୈଜ୍ଞାନିକଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ନିମନ୍ତେ ମଂଚ ପ୍ରଦାନ କରିବ । ଏହି ଅବସରରେ ଆଖୁ ଉତ୍ପାଦନରେ ଅବଦାନ ପାଇଁ ପାଂଚ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା