
ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.) - ଓଡ଼ିଶାର ସମୃଦ୍ଧ ଜଳସେଚନ ଐତିହ୍ୟକୁ ସଂରକ୍ଷଣ କରିବା ସହ ଏହାକୁ ପର୍ଯ୍ୟଟନ ଓ ଆଂଚଳିକ ବିକାଶ ସହ ଯୋଡ଼ିବା ଲକ୍ଷ୍ୟରେ ରାଜ୍ୟ କ୍ୟାବିନେଟ୍ ‘ଓଡ଼ିଶାର ଜଳସେଚନ ପ୍ରକଳ୍ପ ପର୍ଯ୍ୟଟନ ସୁବିଧାର ବିକାଶ’ ଯୋଜନାକୁ ଅନୁମୋଦନ କରିଛି। ଜଳସମ୍ପଦ ବିଭାଗର ଏହି ଯୋଜନା ପାଇଁ ୬୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୫ ବର୍ଷ ଧରି, ଅର୍ଥାତ୍ ୨୦୨୬-୨୭ରୁ ୨୦୩୦-୩୧ ଆର୍ôଥକ ବର୍ଷ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ।
ଐତିହାସିକ ଜଳସେଚନ ସଂରଚନାଗୁଡ଼ିକର ସଂରକ୍ଷଣ ଓ ପୁନରୁଦ୍ଧାର, ପାରମ୍ପରିକ ଜଳ ପରିଚାଳନା ପଦ୍ଧତିକୁ ଲୋକଲୋଚନକୁ ଆଣିବା ଏବଂ ଐତିହ୍ୟ ସମ୍ପଦ ମାଧ୍ୟମରେ ଆଂଚଳିକ ସାମାଜିକ ଓ ଆର୍ôଥକ ସୁଯୋଗ ସୃଷ୍ଟି କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ପରମ୍ପରାଠାରୁ ବ୍ରିଟିଶ ଓ ସ୍ୱାଧୀନତା ପରବର୍ତୀ ସମୟର ଜଳସେଚନ ସଂରଚନା ପର୍ଯ୍ୟନ୍ତ ବ୍ୟାପ୍ତ ଏହି ଐତିହ୍ୟ ରାଜ୍ୟର ଐତିହାସିକ, ସାଂସ୍କୃତିକ ଓ ଯାନ୍ତ୍ରିକ ପରମ୍ପରାର ପରିଚୟ ବହନ କରେ।
ଯୋଜନା ଅଧୀନରେ ଐତିହାସିକ କୋଠା ଓ ସଂରଚନାଗୁଡ଼ିକର ପୁନଃବ୍ୟବହାର, ସେଗୁଡ଼ିକର ମୂଳ ଜଳ ବ୍ୟବସ୍ଥାର ସ୍ଥିରୀକରଣ ଓ ପୁନରୁଦ୍ଧାର ସହ ଆବଶ୍ୟକ ଭିତିଭୂମିର ବିକାଶ କରାଯିବ। ଏହା ମାଧ୍ୟମରେ ଐତିହ୍ୟ ସମ୍ପଦର ସ୍ଥାୟୀ ବ୍ୟବହାର ଓ ସଂରକ୍ଷଣ ସୁନିଶ୍ଚିତ ହେବ।
‘ବୋଇତ’ ଯୋଜନା ଓଡ଼ିଶାର ଜଳସେଚନ ଐତିହ୍ୟକୁ ସଂରକ୍ଷଣ କରିବା ସହ ତାହାକୁ ଜନସାଧାରଣ, ପର୍ଯ୍ୟଟନ ଓ ଆଂଚଳିକ ବିକାଶ ସହ ଯୋଡ଼ିବାରେ ଏକ ନୂଆ ଦିଗନ୍ତ ସୃଷ୍ଟି କରିବ ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମତପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା