
ଝାରସୁଗୁଡ଼ା, ୯ ସେପ୍ଟେମ୍ବର (ହି.ସ.)- ନିର୍ବାଚନୀ ଭୋଟର ତାଲିକାରୁ ବୈଧ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ଜାଲିଆତି ମାଧ୍ୟମରେ ଆପତ୍ତି ଦାଖଲ ଅଭିଯୋଗକୁ ନେଇ ଝାରସୁଗୁଡ଼ା ଜିଲ୍ଲା ଲଇକେରାରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ ହୋଇଛି। ‘ମୋ ଭୋଟ, ମୋ ଅଧିକାର’ ନାରା ଦେଇ ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ଲଇକେରା ବିଜେଡି କାର୍ଯ୍ୟାଳୟରୁ ବାହାରି ଲଇକେରା ଥାନା ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ପରେ ଝାରସୁଗୁଡ଼ା ଏସ୍ପିଙ୍କ ଉଦ୍ଦେଶ୍ୟରେ ଲଇକେରା ଥାନା ଆଇଆଇସିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଦାବିପତ୍ରରେ ଅଭିଯୋଗ କରାଯାଇଛି ଯେ, ଚାଲିଥିବା ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାରେ ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀମାନେ ଜାଲ୍ କାଗଜପତ୍ର ଓ ମିଥ୍ୟା ଅଭିଯୋଗ ଦାଖଲ କରି ବୈଧ ଭୋଟରଙ୍କ ନାମ ଭୋଟର ତାଲିକାରୁ ହଟାଇବାକୁ ଉଦ୍ୟମ କରୁଛନ୍ତି। ଜଣେ ବ୍ୟକ୍ତି ଗୋଟିଏ ଦିନରେ ସର୍ବାଧିକ ୧୦ଟି ଆପତ୍ତି ଦାଖଲ କରିପାରିବାର ନିୟମ ଥିବା ସତ୍ତ୍ୱେ ଏହାର ଉଲ୍ଲଂଘନ କରାଯାଉଥିବା ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି।
ଏପରି ବେଆଇନ କାର୍ଯ୍ୟ ବିରୋଧରେ ଏଫ୍ଆଇଆର୍ ଦାଖଲ ପାଇଁ ଥାନାକୁ ଯାଇଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରିବାରେ ଆପତ୍ତି କରୁଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ପ୍ରଜା ପ୍ରତିନିଧି ଆଇନ, ୧୯୫୦ର ଧାରା ୩୧ ଅନୁଯାୟୀ ମିଥ୍ୟା ଆବେଦନ ଦାଖଲ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ବିଜେଡି ପକ୍ଷରୁ ଏସ୍ପିଙ୍କ ନିକଟରେ ଦାବି କରାଯାଇଛି। ‘କାହାର ଚାପରେ ନାଗରିକଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରାଯାଉଛି?’ ବୋଲି ଶୋଭାଯାତ୍ରାରେ ପ୍ରଶ୍ନ ଉଠାଯାଇଥିଲା। ଏହି ଆନ୍ଦୋଳନକୁ ସ୍ଥାନୀୟ ଲୋକଙ୍କ ପୂର୍ଣ୍ଣ ସମର୍ଥନ ମିଳିଥିବା ବିଜେଡି ପକ୍ଷରୁ କୁହାଯାଇଛି।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଚେୟାରମ୍ୟାନ ତୁଳାବତୀ ମିଞ୍ଜ, ଲଇକେରା ବ୍ଲକ ଚେୟାରମ୍ୟାନ ସଂଜିତ କୁମାର ନାଇକ, ବ୍ଲକ ବିଜେଡି ସଭାପତି ସାନ୍ତୁନୁ ନାଇକ, ମହିଳା ଜିଲ୍ଲା ବିଜେଡି ସଭାପତି ଭଗବତୀ ବେହେରା, ସବିତା ବାଗ, ରୋଜାଲିନ ପଟେଲ, ଭୋପାଲ ବେହେରା ଓ ଜିତେନ୍ଦ୍ର ରଣାଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଓ ଯୁବ କର୍ମୀ ଉପସ୍ଥିତ ଥିଲେ। ନାଗରିକଙ୍କ ଗଣତାନ୍ତ୍ରିକ ଓ ଭୋଟଦାନ ଅଧିକାର ସୁରକ୍ଷିତ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ପୂର୍ବତନ ବିଧାୟିକା ଦୀପାଳୀ ଦାସ ଚେତାବନୀ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ