
ଆନ୍ଦୋଳନକୁ ବିଭିନ୍ନ ସଂଗଠନ ଓ ନେତାଙ୍କ ସମର୍ଥନ
ଝାରସୁଗୁଡ଼ା, ୦୯ ସେପ୍ଟେମ୍ବର (ହି.ସ.) ଚାରି ଦଫା ଦାବି ନେଇ ଝାରସୁଗୁଡ଼ା ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ରିଲେ ଅନଶନ ବୁଧବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଏଲ.ଏନ. କଲେଜର ସମ୍ପୂର୍ଣ୍ଣ ସରକାରୀକରଣ, ଯାନ୍ତ୍ରିକ ମହାବିଦ୍ୟାଳୟକୁ ଯାନ୍ତ୍ରିକ କଲେଜରେ ରୂପାନ୍ତର, ଉପାନ୍ତ ୧୯ ଖଣ୍ଡ ମୌଜା ପାଇଁ ସରକାରୀ ଡିଗ୍ରୀ କଲେଜ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ସ୍ଥାପନ ଦାବିରେ ଏହି ଆନ୍ଦୋଳନ ଜାରି ରହିଛି।
ଦ୍ୱିତୀୟ ଦିନର ଆନ୍ଦୋଳନକୁ ସମ୍ମିଳିତ ଆଦିବାସୀ ସମାଜର ନେତା ରତ୍ନାକର ପ୍ରଧାନ, ପ୍ରଭାକର ଓରାମ, ଛାତ୍ର କଂଗ୍ରେସର ପୂର୍ବତନ ବିଧାନସଭା ସଭାପତି ମହେଶ ପ୍ରଧାନ ଓ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ସିଆରାମ ଦାସ ଧାରଣାସ୍ଥଳରେ ପହଞ୍ଚି ସମର୍ଥନ ଜଣାଇଥିଲେ। ପୌରପାଳିକାର ଉପନଗରପାଳ ବେଣୁଗୋପାଳ ରାଜୁ ପାଣିଗ୍ରାହୀ ମଧ୍ୟ ପ୍ରେସ ବିବୃତି ଜରିଆରେ ଛାତ୍ର ସାମ୍ମୁଖ୍ୟର ଦାବିଗୁଡ଼ିକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି।
ଏସ୍.ଏଫ୍.ଆଇ.ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶଜନ ଭଟ୍ଟାଚାର୍ଯ୍ୟ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଧାରଣାସ୍ଥଳକୁ ଯାଇ ଆନ୍ଦୋଳନକୁ ସମର୍ଥନ କରିଥିଲେ। ଏହାଛଡ଼ା ପ୍ରଗତିଶୀଳ ଶ୍ରମିକ ମଞ୍ଚର ଶ୍ରମିକ ନେତ୍ରୀ ସୁବନ୍ତି ଖଡ଼ିଆ, ପରିବେଶ କର୍ମୀ ସତ୍ୟନାରାୟଣ ରାଓ, ସାମାଜିକ କର୍ମୀ ଜ୍ଞାନେନ୍ଦ୍ର ବେହେରା, ଛାତ୍ର ନେତା ସୌଭାଗ୍ୟ ରୋହିଦାସ ଓ ଆଇନଜୀବୀ ଆହୁତି ସାହୁ ପ୍ରମୁଖ ଧାରଣାସ୍ଥଳରେ ଉପସ୍ଥିତ ରହି ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ।
ଗତମାସରେ ଏଲ.ଏନ. କଲେଜର ସରକାରୀକରଣରେ ଆଇନଗତ ସମସ୍ୟା ଥିବା ନେଇ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବୟାନ ପରେ ଛାତ୍ର ସାମ୍ମୁଖ୍ୟ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡ଼ିଛି।
ବୁଧବାର ସନ୍ଧ୍ୟା ୫ଟାରେ ଦ୍ୱିତୀୟ ଦିନର ରିଲେ ଅନଶନ ସ୍ଥଗିତ ରଖାଯାଇଥିବା ବେଳେ ଗୁରୁବାର ସକାଳ ୧୦ଟାରୁ ସାଧାରଣ ସମ୍ପାଦକ ସମ୍ବିତ ନାଏକଙ୍କ ନେତୃତ୍ୱରେ ତୃତୀୟ ଦିନର ଆନ୍ଦୋଳନ ଆରମ୍ଭ ହେବ। ଆଜିର କାର୍ଯ୍ୟକ୍ରମରେ ସାମ୍ମୁଖ୍ୟ ସଭାପତି ଅସୀମ ପଟେଲ, ସଂଗଠନ ସମ୍ପାଦକ ଜିତେନ୍ଦ୍ରିୟ ଧୁରୁଆ, ଉପସଭାପତି ରବି ରୋହିଦାସ ଓ ଯୁଗ୍ମ ସମ୍ପାଦକ ନନ୍ଦୁ ରୋହିଦାସଙ୍କ ସମେତ ବହୁ ଛାତ୍ର ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ