
ଭୁବନେଶ୍ୱର,୦୯ ସେପ୍ଟେମ୍ବର - ଓଡ଼ିଶାରେ କର୍କଟ ରୋଗ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନେଇ ଭୁବନେଶ୍ୱରରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏବଂ କ୍ରିୟା ଫାଉଣ୍ଡେସନ୍ ତରଫରୁ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ। ଏହି ଅବସରରେ କ୍ରିୟାର ବରିଷ୍ଠ ଅଧିକାରୀ, ଅଂଶୀଦାର ଏବଂ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
କର୍କଟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି, ରୋଗର ପ୍ରାଥମିକ ଚିହ୍ନଟ, ଉନ୍ନତ ଚିକିତ୍ସା ସେବାର ସୁଯୋଗ ବୃଦ୍ଧି ସହ ରୋଗୀମାନଙ୍କୁ ସୁଲଭ ଓ ସହଜରେ ଗୁଣାତ୍ମକ ଚିକିତ୍ସା ଯୋଗାଇଦେବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ‘କ୍ଲୋଜିଂ ଦି କ୍ୟାନ୍ସର କେୟାର ଗ୍ୟାପ୍ ’ ଲକ୍ଷ୍ୟକୁ ସାକାର କରି, ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ନିକଟରେ ଉତମ କର୍କଟ ଚିକିତ୍ସା ସେବା ପହଂଚାଇବା ଆମର ପ୍ରମୁଖ ଲକ୍ଷ୍ୟ।
ଏହାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ କର୍କଟ ରୋଗର ନିରାକରଣ ଓ ଉନ୍ନତ ଚିକିତ୍ସା ସେବାକୁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଆୟୁଷ୍ମାନ ଯୋଜନା ଅଧୀନରେ ୭୩ଟି ନୂତନ ରାଜ୍ୟ ପ୍ୟାକେଜ୍ ଏବଂ ପରବର୍ତୀ ସମୟରେ ୯୧ଟି ନୂତନ କର୍କଟ ଚିକିତ୍ସା ପ୍ୟାକେଜ୍ ସାମିଲ କରାଯାଇଛି। ଏଥିସହ ୩୧୧ କୋଟି ଟଙ୍କା ବ୍ୟୟବରାଦରେ ମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଯୋଜନା ଆରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ୩୨ଟି କେମୋଥେରାପି ସେଂଟର ସ୍ଥାପନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା