କେନ୍ଦୁଝର, ୧ ଅକ୍ଟୋବର (ହି.ସ.)- ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀର ଅବ୍ୟାହତି ପୂର୍ବରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ କେନ୍ଦୁଝରଗଡ଼ ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ବ୍ୟାପକ କରାଯାଇଛି । ଜଳାଶୟ, ନାଳନର୍ଦ୍ଦମା, ଅଧିକ ବର୍ଜ୍ୟବସ୍ତୁ ଏକତ୍ରିତ ହେଉଥିବା ସ୍ଥାନ, ଧାର୍ମିକ ସ୍ଥାନ, ବିଭିନ୍ନ ପ୍ରତିଷ୍ଠାନ, ବଜାର ଘାଟ, ସ୍ୱଚ୍ଛ ଭାରତ ମିଶନରେ ନିର୍ମିତ ପ୍ରକଳ୍ପ, ପୁଷ୍କରିଣୀ ଆଦି ସଫେଇ କରାଯାଇଛି। ବିଭିନ୍ନ ସଂଗଠନ ଓ ସ୍ଥାନୀୟ ଲୋକ ମାନେ ସ୍ୱତଃପ୍ରବୃତ ଭାବେ ଶ୍ରମଦାନ କରି ସଫେଇ କରିଛନ୍ତି। ଆଜି ସକାଳେ ତେଲକୋଇ ବସ ଷ୍ଟାଣ୍ଡରେ କେନ୍ଦୁଝର ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ଉପାଧ୍ୟକ୍ଷ ଶ୍ରୀ ବରଦା ପ୍ରସନ୍ନ ଦାସ, ନିର୍ବାହୀ ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ, ସମସ୍ତ କାଉନସିଲର ଓ ଜନସାଧାରଣ ସ୍ୱଚ୍ଛତା ପାଇଁ ଶ୍ରମଦାନ କରିଥିଲେ ।
ଆହୁରିମଧ୍ୟ ଜନସାଧାରଣଙ୍କ ଲାଗି ସ୍ୱଚ୍ଛତା ସଚେତନଧର୍ମୀ ପାଲା ପରିବେଷଣ କରାଯାଇଥିଲା । ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସାମ୍ବାଦିକ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ଅଳିଆ ଆବର୍ଜନା ସଫା କରିଥିଲେ । ନିଜ ଦେହ ଓ ଘରକୁ ସ୍ୱଚ୍ଛ ରଖିଲା ଭଳି ଆଖପାଖର ପରିବେଶରେ ସ୍ୱଚ୍ଛତା ବଜାୟ ରଖିଲେ ହିଁ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।
ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ଜିଲ୍ଲା ସଦରମହକୁମାରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୭ରୁ ଆରମ୍ଭ ହେଇଥିବା ଏହି ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଦେଶବ୍ୟାପୀ ଜାରି ରହିଥିବା କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ନିଜ ଆଖପାଖ ପରିବେଶ ସ୍ୱଚ୍ଛ ରଖିବା ପାଇଁ ଶ୍ରମଦାନ କରି ଜନଜାଗରଣ ସୃଷ୍ଟି କରିପାରୁଛନ୍ତି । ସ୍ୱଚ୍ଛତା ରକ୍ଷା ପାଇଁ ଆଦର୍ଶ ଆଚରଣକୁ ସାଧାରଣ ଜୀବନଚର୍ଯ୍ୟାରେ ସାମିଲ କରିବା ପାଇଁ ପ୍ରେରଣା ଯୋଗାଉଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ