କେଉଁଝର, ୨୬ ନଭେମ୍ବର (ହି.ସ.) - ଆଜି ଭାରତର ସମ୍ବିଧାନ ଦିବସ ।୨୦୧୫ମସିହାରୁ ପ୍ରତିବର୍ଷ ନଭେମ୍ବର ଛବିଶି ତାରିଖରେଏହି ଦିବସ ପାଳନ କରାଯାଇଥାଏ । ସମ୍ବିଧାନ ଦିବସ ମଧ୍ୟ ଜାତୀୟ ଆଇନ୍ ଦିବସ ଭାବେ ପରିଚିତ। ସମ୍ବିଧାନ ପ୍ରତି ସମ୍ମାନ ଓ ଏହାର ସୁରକ୍ଷା ସହ ଦେଶ ପ୍ରତି ସମର୍ପିତ ହେବା ଉଦ୍ଦେଶ୍ୟରେ ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ସମ୍ବିଧାନ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଚି । ଏହି ଉପଲକ୍ଷେ ଆଜି ପୂର୍ବାହ୍ଣ ଦଶଟା ବେଳେ ବିଶ୍ୱବିଦ୍ୟାଳୟର କୁଳପତି ଓ କୁଳସଚିବଙ୍କ ଉପସ୍ଥିତିରେ ସମସ୍ତ ଛାତ୍ରଛାତ୍ରୀ ସମ୍ବିଧାନ ସଂକଳ୍ପ ପାଠ କରାଯିବା ସହ ସମ୍ବିଧାନର ବିଶେଷତ୍ୱ ଓ ପ୍ରସ୍ତାବନା ଉପସ୍ଥାପନ କରିଥିଲେ ଅଧ୍ୟାପିକା ସ୍ନେହଲତା ମିଶ୍ର। ଅପରାହ୍ଣରେ ଆୟୋଜିତ ହୋଇଥିଲା ସମ୍ବିଧାନ ଦିବସ ସମାରୋହ। କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁ୍ଷ୍ଠିତ ସଭାରେ ଅର୍ଥନୀତି ବିଭାଗ ମୁଖ୍ୟ ତଥା ସମାରୋହର ସଂଯୋଜକ ଡଃ ଦାମୋଦର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ରାଜନୀତି ଓ ଶିକ୍ଷକ ଶିକ୍ଷାବିଭାଗର ଛାତ୍ର ବ୍ରଜବନ୍ଧୁ ମହାନ୍ତ ଓ ଦୟାନିଧି ସାହୁ ସମ୍ବିଧାନ ର ଚାରିତ୍ରିକ ମହତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ଅଧ୍ୟାପିକା ଡଃ ଅନୁପମା ଦାଶ,ସ୍ନେହଲତା ମିଶ୍ର ଓ ଅଧ୍ୟାପକ ଅନୀଲ କୁମାର ଦାସ ଏହି ଦିବସର ଅନୁଚିନ୍ତା ଉପସ୍ଥାପନ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀଯୁକ୍ତ ଦୁଃଖବନ୍ଧୁ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବିଧାନିକ ମୂଲ୍ୟବୋଧକୁ ନିଷ୍ଠାର ସହ ପାଳନ କଲେ ହିଁ ସଂହତି ଓ ଐକ୍ୟ ବଜାୟ ରହିବ ବୋଲି ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ସ୍ନାତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରଭୁପ୍ରସାଦ ଦାସ ସମ୍ବିଧାନର ଆଧାର ବ୍ୟକ୍ତି ସ୍ୱାଧୀନତାର ଅଧିକାରର ସମାନତା ସଂପର୍କରେ ଆଲୋକପାତ କରିଥିଲେ । ସଭାପତି ତଥା କୁଳପତି ପ୍ରଫେସର ମହାନ୍ତି ନିଜ ଅଭିଭାଷଣ ରେ ସମ୍ବିଧାନର ଚତୁର୍ଥ ସ୍ତମ୍ବ ଓ ସେମାନଙ୍କ ମଧ୍ୟରେ ଥିବା ସନ୍ତୁଳନ ସଂପର୍କରେ ଆଲୋଚନା କରିବା ସହ ବିକଶିତ ଭାରତ ପାଇଁ ସମସ୍ତଙ୍କ ସହଭାଗିତା ନିଶ୍ଚିତ କରିବାକୁ ଆହ୍ୱାନ ଦେଇଥିଲେ । ପରେ ପରେ ସମ୍ବିଧାନ ଦିବସ ଉପଲକ୍ଷେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗି ଶୁଭଶ୍ରୀ ସାହୁ,ରଶ୍ମିତା ଶତପଥୀ ଓ ଧବଳେଶ୍ୱର ମହାନ୍ତ ଏବଂ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗି ସୁଶ୍ରୀ ଶର୍ମିଷ୍ଠା ସାହୁ,ପଦ୍ମାଳୟା ମହାନ୍ତ ଓ ଦିବ୍ୟଜ୍ୟୋତି ସାହୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସମ୍ବିଧାନ ଉପରେ ଆୟୋଜିତ ରଙ୍ଗୋଲି ପ୍ରତିଯୋଗିତାର ଦୀପଶିଖା ପ୍ରଧାନ,ମୋନାଲିସା ସାହୁ ଓ ସୁଶ୍ରୀ ସଂଗୀତା ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବିଧାନ ଆଧାରିତ ଏକ କ୍ଷୁଦ୍ର ନାଟକ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଶେଷରେ ଅଧ୍ୟାପିକା ସଂଗୀତା ସୁଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ବିଭୂତି/ଭାନୁ
ହିନ୍ଦୁସ୍ଥାନ ସମାଚାର / ବିଭୁତି