ପୁରୀ, ୧୩ ଡିସେମ୍ବର (ହି.ସ.)- ଆସନ୍ତା ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ମରାମତି ବେଳେ ଶ୍ରଦ୍ଧାଳୁଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥା କିଭଳି ରହିବ ଏବଂ କିଭଳି ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ସୁରୁଖୁରୁରେ ସମାପନ ହେବ ସେନେଇ ଆଜି ଶ୍ରୀମନ୍ଦିର ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଏସପି ବିନିତ ଅଗ୍ରୱାଲ, ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ଅଧିକାରୀଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ