ସିଇଓଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ
ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟକର୍ତାଭାବେ ବ୍ୟବହାର କରୁଛି ବିଜେଡି ଭୁବନେଶ୍ୱର, 29 ଏପ୍ରିଲ (ହି.ସ.) - ପୂର୍ବ
ସିଇଓଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ


ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟକର୍ତାଭାବେ ବ୍ୟବହାର କରୁଛି ବିଜେଡି

ଭୁବନେଶ୍ୱର, 29 ଏପ୍ରିଲ (ହି.ସ.) - ପୂର୍ବରୁ ଶାସକ ଦଳର କାର୍ଯ୍ୟକରି କିଛି ମୁଷ୍ଟିମେୟ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଥିଲେ ମଧ୍ୟ ପୁନଃର୍ବାର ଶାସକ ଦଳର ଏହି କାର୍ଯ୍ୟ ଜାରି ରହିଛି । ବିଜେପି ସର୍ବଦା ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଚାହୁଁଥିବାବେଳେ ବିଜେଡି ଶାସନ ଗାଦିରେ ବସିବା ପାଇଁ ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟକର୍ତାଭାବେ ବ୍ୟବହାର କରୁଛି । ବିଜେଡି ଏହି କାର୍ଯ୍ୟରୁ ନିବୃତ ରହିବାକୁ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ବିଜେଡିର ଲୋକସଭା ପ୍ରାର୍ଥୀନି ଶର୍ମିଷ୍ଠା ସେଠୀଙ୍କ ପିଏସ୍ଓ ଇତିକାନ୍ତ ଲେଙ୍କା ଜଣେ ପୋଲିସ ଅଧିକାରୀ ହୋଇ ନିଜସ୍ୱ ସାଧାଜିକ ଗଣମାଧ୍ୟମ ଆକାଉଂଟରେ ବିଜେଡିର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କହୁଛନ୍ତି । ଯାହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ କରୁଛି । ସେହିପରି ଯାଜପୁରର ବିଇଓ ସ୍ମୃତିରେଖା ନାୟକ ନିଜ ପଦବୀର ଅପବ୍ୟବହାର କରି ଲୋକସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଶ୍ରୀମତୀ ନାୟକ ଦୀର୍ଘଦିନ ହେବ ଯାଜପୁରରେ କାର୍ଯ୍ୟରତ ଅଛନ୍ତି ଓ ବିଜେଡିର ପ୍ରଚାର କରୁଛନ୍ତି । ତୁରନ୍ତ ଶ୍ରୀମତୀ ନାୟକଙ୍କୁ ବଦଳି କରାଯିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡା. ବିଶ୍ୱାଳ ଦାବି କରିଛନ୍ତି ।

ସେହିପରି କେନ୍ଦ୍ରାପଡା ମହାକାଳପଡାର ବିଧାୟକ ପ୍ରାର୍ଥୀ ଅତୁନ ସବ୍ୟସାଚ୍ଚୀଙ୍କ ସହିତ ମିଶି ଜଣେ ଏମବିକେ ପୁଷ୍ପାଞ୍ଜଳୀ ମହାନ୍ତି ବିଜେଡି ଦଳ ପାଇଁ ଭୋଟ ପ୍ରଚାର କରିବା ସହ ଦଳୀୟ ଚିହ୍ନ ଧରି ମହିଳାଙ୍କୁ ବୁଝାଉଛନ୍ତି । ଯାହାର ଫଟୋ ଆଜି ସିଇଓ ହସ୍ତାନ୍ତର କରାଯାଇଛି । ଯଥାଶୀଘ୍ର ପୁଷ୍ପାଞ୍ଜଳୀଙ୍କୁ ଏମବିକେ ପଦବୀରୁ ବହିଷ୍କାର କରାଯାଉ ବୋଲି ଡା. ବିଶ୍ୱାଳ ଦାବି କରିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ମହିଳାମୋର୍ଚ୍ଚା ଉପସଭାନେତ୍ରୀ ପ୍ରୀତି ପ୍ରତିଭା ଭୋଳ, ରଶ୍ମିମୟୀ ପଟ୍ଟନାୟକ, ମନୀଷା ବେହେରା, ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ସଙ୍ଗୀତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande