ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଇବାରେ ବିଫଳ ବିଜେଡ଼ି ସରକାର – ବିଜେପି
ଭୁବନେଶ୍ୱର, ୨୯ ଏପ୍ରିଲ - ବିଜେଡ଼ି ସରକାର ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛି ବୋଲି ଭାରତୀୟ ଜନତା ପାର
ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଇବାରେ ବିଫଳ ବିଜେଡ଼ି ସରକାର – ବିଜେପି


ଭୁବନେଶ୍ୱର, ୨୯ ଏପ୍ରିଲ - ବିଜେଡ଼ି ସରକାର ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛି ବୋଲି ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି ।

ବିଜେପିର ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓଡ଼ିଶା ଲୋକଙ୍କୁ ଦୂରବସ୍ଥାରେ ପକାଇ ନିର୍ବାଚନ ଲଢିବା ପାଇଁ ଶାସକ ଦଳ ମାତିଛି । ଓଡ଼ିଶାକୁ ଜଣେ ମୁଖ୍ୟମନ୍ତ୍ରୀ ୨୫ ବର୍ଷ ଅର୍ଥାତ ୧୦ ହାଜର ଦିନ ଶାସନ କଲେଣି । କିନ୍ତୁ ଏବେ ବି ୪୦ ପ୍ରତିଶତ ପରିବାର ପାଖରେ ପିଇବା ପାଣି ପହଂଚି ପାରୁନାହିଁ । ଓଡିଶାବାସୀଙ୍କୁ କାହିଁକି ପାଣି ପହଂଚାଇ ପାରିଲେ ନାହିଁ, ଏହାର ଜବାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ସେ କହିଛନ୍ତି ଯେ ରାଜ୍ୟରେ ୮୮ ଲକ୍ଷ ଘର ମଧ୍ୟରୁ ୨୪ ଲକ୍ଷ ଘରକୁ ପାଣି ପହଂଚି ପାରିଲା ନାହିଁ । ଏହା ୧୦ ହଜାର ଦିନ ସରକାରଙ୍କର ସଫଳତା ବୋଲି କହି କଟାକ୍ଷ କରିଛନ୍ତି । ୪୬ ହଜାର ଗାଁରୁ ମାତ୍ରା ୩୫ ହଜାର ଗାଁରେ ପାଇପ ଯୋଗେ ପିଇବା ପାଣି ପହଂଚାଇ ପାରିଛନ୍ତି ସରକାର । ଯେଉଁଠି ପାଣି ପହଂଚିଛି, ନଳକୂପ ଯୋଗେ ପାଣି ପହଂଚିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଭଳି ଅଂଚଳରେ ୫୦ ପ୍ରତିଶତରୁ ବି କମ୍ ପାଣି ପହଂଚିଛି ।

ସେ କହିଛନ୍ତି ଯେ ନବୀନ ବାବୁଙ୍କ ଗୁମାସ୍ତା କହୁଛନ୍ତି, ବିରୋଧୀଙ୍କୁ ବିକାଶ ଦେଖା ଯାଉନାହିଁ । ଏହା କେଉଁ ପ୍ରକାର ବିକାଶ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ସ୍କୁଲରେ ଡ୍ରପ ଆଉଟ୍ ବଢୁଛି, କାରଣ ସ୍କୁଲରେ ପିଇବା ପାଣି ବ୍ୟବସ୍ଥା ନାହିଁ । ପିଲାଙ୍କୁ ଶିକ୍ଷକ ମାନେ ୨ କିମି ଦୂରକୁ ପାଣି ଆଣିବା ପାଇଁ ପଠାଉଛନ୍ତି । ୩୦ ପ୍ରତିଶତ ବିଦ୍ୟାଳୟରେ ପିଇବା ପାଣି ନାହିଁ । ରାଜ୍ୟ ସରକାର କପି ପେଷ୍ଟ ମାଷ୍ଟର । କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଏବଂ ହର ଘର ନଲ ସେ ଜଳ ଯୋଜନାକୁ ବସୁଧା ଯୋଜନା କରିଛି ବିଜେଡ଼ି ସରକାର । କିନ୍ତୁ ଅଧିକାଂଶ ଜାଗାରେ ପାଣି ନାହିଁ, ଖାଲି ଟାଙ୍କି ଅଛି । କେନ୍ଦ୍ର ସରକାର ଜଳ ଜୀବନ ମିଶନରେ ୧୦ ହାଜର କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ମାତ୍ରା ୮୩୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । କାରଣ ବିଜେଡ଼ି ସରକାର ବ୍ଲାକ ଲିଷ୍ଟ କମ୍ପାନୀ ମାନଙ୍କୁ କାମ ଦେଇ କେନ୍ଦ୍ର ଟଙ୍କାକୁ ହଡ଼ପ କରାଯାଉଛି, ପ୍ରକଳ୍ପ ସଂପୂର୍ଣ୍ଣ ହୋଇପାରୁନାହିଁ । ମହାନଦୀ ବେସିନର ଉଭୟ ପଟେ ପାଣି ନାହିଁ ।

ସେ ପ୍ରଶ୍ନ କରିଛନ୍ତି ଯେ, ବିଜେଡ଼ି ମହାନଦୀ ମହାଆନ୍ଦୋଳନ କରିଥିଲା, ତାହା କୁଆଡେ ଗଲା । ମହାନଦୀ ଉପରେ ଛୋଟ ଛୋଟ ଆନିକଟ କରିବେ କହିଥିଲେ, କୁଆଡେ ଗଲା ?

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା


 rajesh pande