ମାଲକାନଗିରିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର
ଭୁବନେଶ୍ୱର, 29 ଏପ୍ରିଲ (ହି.ସ.) - ବିଜୁ ଜନତା ଦଳ ନେତା କାର୍ତିକ ପାଣ୍ଡିଆନ ସୋମବାର ମାଲକାନଗିରିରେ ଦଳୀୟ ପ୍ରାର୍ଥୀଙ
ମାଲକାନଗିରିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର


ଭୁବନେଶ୍ୱର, 29 ଏପ୍ରିଲ (ହି.ସ.) - ବିଜୁ ଜନତା ଦଳ ନେତା କାର୍ତିକ ପାଣ୍ଡିଆନ ସୋମବାର ମାଲକାନଗିରିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ଜିତାଇବାକୁ ଆହ୍ୱାନ ଦେଇଛନ୍ତି । ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ସହିତ ମାଲକାନଗିରି ବିଧାନସଭା ପ୍ରାର୍ଥୀ ମାନସ ମାଡକାମି ଓ ଚିତ୍ରକୋଣ୍ଡା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପାଇଁ ଡବଲ ଶଙ୍ଖରେ ବଟନ ଦବାଇ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

ଆରମ୍ଭରୁ ବିରୋଧୀ ଦଳ ଉପରେ ଜୋରଦାର ଆକ୍ରମଣ କରି ଘୋର ସମାଲୋଚନା କରିଥିଲେ । ସେ କହିଥିଲେ ଯେ ଏ ବିଶାଳ ସମାବେଶ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣମାନଙ୍କ ସ୍ନେହ ଓ ଭଲ ପାଇବାର ପ୍ରତୀକ, ଏସବୁ ଦେଖି ବିରୋଧୀଙ୍କ ନିଦ ହଜିଯାଉଛି । ବିଜେପି କ୍ଷମତାକୁ ଆସିଲେ ମିଶନ ଶକ୍ତି ବନ୍ଦ କରିଦେବେ, ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେବେ, ପୁଣି ଥରେ ଘର ଭିତରେ ବନ୍ଦ କରି ରଖିବେ, ଈଝକଣ ବନ୍ଦ କରିଦେବେ । ଆପଣମାନେ ସତର୍କ ରୁହନ୍ତୁ । ନବୀନ ଇଞ୍ଜିନ କେବେ ବି ଫେଲ୍ ମାରିନି କି ମାରିବ ନାହିଁ । ନବୀନ ଇଞ୍ଜିନ ସବୁବେଳେ ଚାଲିବ, ଲୋକଙ୍କ ସମସ୍ୟା ସମାଧାନ କରିବ ।

ମାଲକାନଗିରିରେ ସେ କହିଥିଲେ ଯେ ଏଠି ଆପଣଙ୍କ ଜଣେ ବିଧାୟକ ଅଛନ୍ତି, ଯାହାକୁ ଆପଣ ଦେଖିବାକୁ ପାଉ ନାହାନ୍ତି । ଏମିତି ଲୋକ ଆପଣଙ୍କ ଦରକାର, ନା ଆପଣଙ୍କ ସହିତ ଦିନରାତି ରହି ଆପଣଙ୍କ ସୁଖଦୁଃଖର ସାଥି ହେବ, ସେ ଲୋକ ଦରକାର । ମାଲକାନଗିରିର ଏକ ବିଶାଳ ଅଂଚଳ ଦିନେ କଟ୍ଅଫ୍ ଅଂଚଳ ଭାବେ ପରିଚିତ ଥିଲା । ଏବେ କିନ୍ତୁ ତାର ନୂଆ ପରିଚୟ ହୋଇଛି ସ୍ୱାଭିମାନ ଅଂଚଳ । ଏଠାରେ ରୂପାନ୍ତର ଆସିଛି, ବିକାଶର ଧାରା ଜୋରଦାର ହୋଇଛି । ବିରୋଧୀ ଆଖି ଖୋଲି ଦେଖନ୍ତୁ, ବିକାଶ କିପରି ହୁଏ । ମାଲକାନଗିରି ହେଉଛି ତାର ସାକ୍ଷୀ । ଦିନ ଥିଲା ମାଲକାନଗିରିରେ ସାଇକେଲ ଖଣ୍ଡିଏ ଗଡୁ ନ ଥିଲା, ଆଜି ଉଡାଜାହାଜ ଉଡୁଛି ।

ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ସବୁଠୁ ବେଶି ଭଲ ପାଆନ୍ତି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ସବୁ ବଡ ବଡ ଯୋଜନା ସେ ମାଲକାନଗିରିରୁ ହିଁ ଆରମ୍ଭ କରିଛନ୍ତି, ଦୁଇ ଟଙ୍କିଆ ଚାଉଳ, ଟଙ୍କିକିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ଯୋଜନା – ସବୁକିଛି ମାଲକାନଗିରିରୁ ହିଁ ଆରମ୍ଭ ହୋଇଛି । ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ କାମର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ତାଙ୍କ ନିର୍ଦ୍ଦେଶରେ ମୁଁ ଆଜି ଆପଣଙ୍କୁ ସବୁ କାମର ହିସାବ ଦେଉଛି ।

ସେ କହିଥିଲେ ମାଲକାନଗିରି ନିର୍ବାଚନମଣ୍ଡଳୀରେ ୧୨୭ କୋଟି ଟଙ୍କାର କାମ ଚାଲିଛି । ଲକ୍ଷ୍ମୀ ବସ୍ ଯୋଜନାରେ ଜିଲ୍ଲାର ୪.୫୦ ଲକ୍ଷ ଉପକାର ପାଇଛନ୍ତି । ଚିତ୍ରକୋଣ୍ଡା ଓ କରୋକୁଣ୍ଡା ବ୍ଲକ୍ ର ୧୮ଟି ପଞ୍ଚାୟତରେ ସେତୁ ଯୋଜନାରେ ୧୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଲୋକଙ୍କ ସାମାଜିକ ଓ ଆର୍ôଥକ ରୂପାନ୍ତର କାମ ଚାଲିଛି । ସପ୍ତଧାରା ଜଳସେଚନ ପ୍ରକଳ୍ପ ପାଇଁ ୪୦୦୦ କୋଟି ଟଙ୍କା । ଶେଷରେ ସେ ୯୫ ପ୍ରତିଶତ ଭୋଟ କରି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ସେ ଅନୁରୋଧ କରିଥିଲେ । ଡବଲ ଶଙ୍ଖରେ ଭୋଟ ଦେଇ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande