ବୋଷ୍ଟନଠାରେ ଓଡ଼ିଶା ଷ୍ଟାର୍ଟଅପ୍ ର ସଫଳତା
ଭୁବନେଶ୍ୱର, 2 ମଇ (ହି.ସ.) -ସଂପ୍ରତି ଆମେରିକାର ବୋଷ୍ଟନର ନର୍ଥ ଇଷ୍ଟର୍ଣ୍ଣ ୟୁନିଭରସିଟିଠାରେ ଅନୁଷ୍ଠିତ ହୋଇଥିବା ଷ୍ଟ
ବୋଷ୍ଟନଠାରେ ଓଡ଼ିଶା ଷ୍ଟାର୍ଟଅପ୍ ର ସଫଳତା


ଭୁବନେଶ୍ୱର, 2 ମଇ (ହି.ସ.) -ସଂପ୍ରତି ଆମେରିକାର ବୋଷ୍ଟନର ନର୍ଥ ଇଷ୍ଟର୍ଣ୍ଣ ୟୁନିଭରସିଟିଠାରେ ଅନୁଷ୍ଠିତ ହୋଇଥିବା ଷ୍ଟାର୍ଟଅପ୍ ପ୍ରତିଯୋଗିତା ପ୍ରଦର୍ଶନ ଓ ତତ୍ସମ୍ବନ୍ଧୀୟ ଅଭିଭାଷଣ କାର୍ଯ୍ୟକ୍ରମରେ ଓଡ଼ିଶା ଷ୍ଟାର୍ଟଅପ୍ କୃତିତ୍ୱ ଅର୍ଜନ କରିଛି । ଓଡ଼ିଶା ଷ୍ଟାର୍ଟଅପ୍ ଦ୍ୱାରା ସ୍ୱୀକୃତ ତଥା ଓଡ଼ିଶା ଷ୍ଟାର୍ଟଅପ୍ ଦ୍ୱାରା ପୁରସ୍କୃତ ନିଉରୂପ ଟେକ୍ ସଲ୍ୟୁସନ୍ କମ୍ପାନୀର ପ୍ରତିଷ୍ଠାତା ଅନୁପ ପାଇକରାୟ ଏହି ସଫଳତା ଅର୍ଜନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ବୋଷ୍ଟନଠାରେ ଅନୁଷ୍ଠିତ ଅନ୍ତଃରାଷ୍ଟ୍ରୀୟ ଷ୍ଟାର୍ଟଅପ୍ ପ୍ରତିଯୋଗିତା ପ୍ରଦର୍ଶନରେ ପ୍ରାୟ ୧୦ ଗୋଟି ବିଶ୍ୱବିଦ୍ୟାଳୟ ଭାଗ ନେଇଥିଲାବେଳେ ଓୟୁଟିଆର (ଓଡ଼ିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ)ର ଛାତ୍ର ଅନୁପ ପାଇକରାୟ ଏକମାତ୍ର ଭାରତୀୟ ଛାତ୍ର ଭାବେ କୃତିତ୍ୱ ଅର୍ଜନ କରି ନିଜ ବିଶ୍ୱବିଦ୍ୟାଳୟ ତଥା ଓଡ଼ିଶା ଷ୍ଟାର୍ଟଅପ୍ ପାଇଁ ବେଶ୍ ସଫଳତା ଓ ଗୌରବ ଆଣି ଦେଇଛନ୍ତି । ପୁରସ୍କୃତ ହେବା ସମୟରେ ଶ୍ରୀ ପାଇକରାୟ ଭାରତର ଜାତୀୟ ପତାକା ଉଡ଼ାଇ ବିଶ୍ୱସ୍ତରରେ ଭାରତ ମାଟିକୁ ସମ୍ମାନିତ କରିଥିଲେ । ପୁରସ୍କାର ବାବଦରେ ସେ ୨ ଲକ୍ଷ ଟଙ୍କା ଓ ଟ୍ରଫି ଉପଲବ୍ଧି କରିଛନ୍ତି ।

ସୂଚନାଯୋଗ୍ୟ ଯେ ଏହି ପ୍ରଦର୍ଶନ ପ୍ରତିଯୋଗିତାରେ ହାଭାର୍ଡ ୟୁନିଭରସିଟି, ଏମ୍.ଆଇ.ଟି (ଆମେରିକା), ଟଫସ୍ ୟୁନିଭରସିଟି,ବୋଷ୍ଟନ ୟୁନିଭରସିଟି, ବେଂଟଲି ୟୁନିଭରସିଟି, ୱେଷ୍ଟୱର୍ଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଇମରସନ୍ କଲେଜ ଆଦି ୧୦ ଗୋଟି ବିଶ୍ୱବିଦ୍ୟାଳୟର ଷ୍ଟାର୍ଟଅପ୍ ଛାତ୍ର ଅଂଶଗ୍ରହଣ କରିଥିଲେ । ଶ୍ରୀ ପାଇକରାୟ ପୂର୍ବରୁ ଭାରତର ବିଭିନ୍ନ ସ୍ଥାନରେ ନିଜର ପ୍ରକଳ୍ପ ପାଇଁ ମଧ୍ୟ ପୁରସ୍କୃତ ହୋଇସାରିଛନ୍ତି । ଓଡ଼ିଶା ଷ୍ଟାର୍ଟଅପ୍ ଓ ଏମ୍ଏସ୍ଏମ୍ଇ ବିଭାଗ ଦ୍ୱାରା ପ୍ରାୟୋଜିତ ଷ୍ଟାର୍ଟଅପ୍ ଉତ୍ସବରେ ଶ୍ରେଷ୍ଠ ଷ୍ଟାର୍ଟଅପ୍ ଛାତ୍ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏହା ବ୍ୟତୀତ ଗୀତମ୍ ୟୁନିଭରସିଟି, ହାଇଦ୍ରାବାଦ୍, ଗ୍ରୀନ୍ ବେଙ୍ଗଲ ଇନୋଭେସନ୍ କେଂଟଷ୍ଟ, ୩-ଏମ୍ ୟୁଙ୍ଗ୍ ଇନୋଭେଟର, ତାଲ୍ ଆଦି ସମ୍ମାନ ଲାଭ କରିଛନ୍ତି ।

ଅନୁପଙ୍କ ପ୍ରକଳ୍ପ ମୁଖ୍ୟତଃ ଆଫ୍ରିକାର ଗ୍ରାମାଂଚଳରେ ରହିଥିବା ୫୦ କୋଟି ମହିଳାଙ୍କ ଜୀବନର ମାନରେ ଉନ୍ନତି ଆଣିବା ପାଇଁ ଉଦ୍ଦିଷ୍ଟ । ପ୍ରକଳ୍ପ ଚୁଲିଭ୍ ବିଶ୍ୱର ପ୍ରଥମ ଅଟୋମେଟିକ୍ ଏୟାରବ୍ଲୋୟର ମାତ୍ର ୫୦୦ ଟଙ୍କାରେ ମାଟି ଚୁଲିରେ ଆସୁଥିବା ଧୂଆଁକୁ ହ୍ରାସ କରି ମହିଳାମାନଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହେବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ବର୍ଷ ଆପାତତଃ ୨୦ ଲକ୍ଷ ମହିଳାଙ୍କର ଚୁଲିରୁ ନିର୍ଗମନ ଧୂମ୍ରଜନିତ ମୃତ୍ୟୁ ଘଟେ । ଅନୁପଙ୍କର ଚୁଲିଭ୍ ଏହି ସମସ୍ୟାକୁ ଦୂରେଇ ଦେବାରେ ଯଥେଷ୍ଟ ସହାୟକ ହେବ । ଶ୍ରୀ ପାଇକରାୟଙ୍କ କୃତିତ୍ୱ ଓଡ଼ିଶାର ଷ୍ଟାର୍ଟଅପ୍ କୁ ଅଧିକରୁ ଅଧିକ ଊର୍ଦ୍ଧ୍ୱଗାମୀ କରିବା ସହ ଶହ ଶହ ଛାତ୍ରଙ୍କୁ ପ୍ରେରଣା ଯୋଗାଇବ ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande