ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ହରିଚନ୍ଦନପୁର, ପ୍ରଶାସନ ଚୁପ୍ ଜେସିବି ମେସିନ୍ ଲଗାଇ ବେଧଡ଼କ ଚାଲିଛି ରାଜସ୍ବ ଲୁଟ୍
ହରିଚନ୍ଦନପୁର, ୪ ମଈ (ହି.ସ.) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ତହସିଲ ନିକଟସ୍ଥ ମୂଷଳ ନଦୀରୁ ଜେସିବି ମେସିନ୍ ଲଗାଇ ଚା
Harichandanpur has become the stronghold of the sand mafia


ହରିଚନ୍ଦନପୁର, ୪ ମଈ (ହି.ସ.) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ତହସିଲ ନିକଟସ୍ଥ ମୂଷଳ ନଦୀରୁ ଜେସିବି ମେସିନ୍ ଲଗାଇ ଚାଲିଛି ବେଧଡ଼କ ଭାବେ ରାଜସ୍ବ ଲୁଟ୍, ପ୍ରଶାସନର ଦୃଷ୍ଟି ନାହିଁ ନା ପଡ଼ୁନାହିଁ । ସୂଚନା ମୁତାବକ ଦୀର୍ଘଦିନ ହେବ କଲେଜ୍ ପଛପାଖ ସାପୁଆ ଘାଟରୁ ପ୍ରତ୍ୟେକ ଦିନ ଓ ରାତି ଶହଶହ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଛି । ଏନେଇ ପୂର୍ବରୁ ତହସିଲଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ ସତ୍ବେ ଆଜି ପର୍ଯ୍ୟନ୍ତ ନିଆଯାଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ । ସାପୁଆ ଘାଟକୁ ସରକାରୀ ରାସ୍ତା ନଥିବା କାରଣରୁ ଉକ୍ତ ବାଲି ଘାଟର ଅନୁମତି ନାଥିବା ସତ୍ବେ ଅହରହ ମେସିନ୍ ଲଗାଇ ବାଲି ଉତ୍ତୋଳନ ହେଉଛି । ଥାନା ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖ ଦେଇ ଟ୍ରାକ୍ଟର, ମିନି ଟ୍ରକ୍, ଅଟୋ ରିକ୍ସା, ଡମ୍ଫର ଯୋଗ ଚୋରା ଚାଲାଣ ଚାଲିଛି । ଦିନ ରାତି ବେଧଡକ ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନର ନିଷ୍କ୍ରିୟତା ବାଲି ମାଫିଆଙ୍କୁ ଉତ୍ସାହିତ କରୁଛି । ଯାହାର ଫାଇଦା ନେଇ ଏଅଞ୍ଚଳର ବାଲି ମାଫିଆ ଉତ୍ତୋଳନ ବାଲିକୁ ଉଚ୍ଚାଦରରେ ବିକ୍ରି କରି ମାଲେ ମାଲ୍ ହେଉଥିବା ଦେଖିବାକୁ ମିଳିଛି । ଉକ୍ତ ଘାଟରୁ ପ୍ରତ୍ୟେକ ଦିନ ଲକ୍ଷଲକ୍ଷ ଟଙ୍କା ରାଜସ୍ବ ହାନି ଘଟୁଥିବା ବେଳେ ଲୁଟିବାରେ ସଫଳ ହେଉଛନ୍ତି ଏଅଞ୍ଚଳର ବାଲି ମାଫିଆ । ଦିନ ବେଳେ ବ୍ରଜମୋହନପୁର ଗ୍ରାମ ନିକଟରୁ ବେଧଡକ ଭାବେ ରାଜସ୍ବ ଲୁଟୁଥିବା ବେଳେ ରାତି ତମାମ୍ କଲେଜ୍ ପଛପାଖରୁ ଜେସିବି ମେସିନ୍ ଲଗାଇ ଲୁଟୁଥିବାର ନଜିର ରହିଛି । ପ୍ରଶାସନର ନିରବତାକୁ ନେଇ ଏଭଳି ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଓ କାରବାରରେ ମାଫିଆ ଗୋଷ୍ଠୀ ବେଶ୍ ସକ୍ରିୟ ହୋଇଥିବା ଜଣାପଡ଼ିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଉକ୍ତ ବେଆଇନ ଘାଟକୁ ସିଜ୍ କରିବା ସହ ଉତ୍ତୋଳନ କରୁଥିବା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବି ଓ ଜନସାଧାରଣରେ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରେମାନନ୍ଦ /ସ୍ୱାଗତିକା/ସମନ୍ୱୟ


 rajesh pande