ବିଜେପି ଛାଡି କଂଗ୍ରେସରେ ଯୋଗ ଦେଲେ ଦେବାଶିଷ ନାୟକ
ଭୁବନେଶ୍ୱର, 4 ମଇ (ହି.ସ.) - ପୁଣି ଦଳ ବଦଳାଇଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ବିଜେପି ଛାଡ଼ି ଆଜି ସେ କଂଗ୍
ବିଜେପି ଛାଡି କଂଗ୍ରେସରେ ଯୋଗ ଦେଲେ ଦେବାଶିଷ ନାୟକ


ଭୁବନେଶ୍ୱର, 4 ମଇ (ହି.ସ.) - ପୁଣି ଦଳ ବଦଳାଇଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ବିଜେପି ଛାଡ଼ି ଆଜି ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଡାକ୍ତର ଅଜୟ କୁମାର, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି ।

ଗତ ଫେବୃଆରୀ ୨୫ ତାରିଖରେ ଦେବାଶିଷ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ବରୀରୁ ବିଜେପି ଟିକେଟ ପାଇବାକୁ ଆଶା ରଖିଥିଲେ ଦେବାଶିଷ । କିନ୍ତୁ ବିଜେପି ତାଙ୍କୁ ବରୀରୁ ଟିକେଟ ନଦେବାରୁ ସେ ଦଳ ଛାଡ଼ି କଂଗ୍ରେସରେ ମିଶିଛନ୍ତି ।

କଂଗ୍ରେସରେ ଯୋଗ ଦେବା ପରେ ଦେବାଶିଷ କହିଛନ୍ତି, ଟିକେ ନିଷ୍ପତି ଭୁଲ ହୋଇଯାଇଥିଲା । ସେପଟକୁ ଚାଲି ଯାଇଥିଲି । ଏବେ ନିଷ୍ପତି ନେଲି ଏକ ଗଣତାନ୍ତ୍ରିକ ଦଳରେ ଯୋଗ ଦେବି, ଯେଉଁଠି ସ୍ୱାଧୀନତା ଥିବ । ତେଣୁ କଂଗ୍ରେସରେ ଯୋଗ ଦେଲି । କଂଗ୍ରେସରେ ଯୋଗ ଦେବା ପରେ ସେ ବିଜେପି ଓ ଏହା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଦେବାଶିଷ କହିଛନ୍ତି, ଏବେ ଦେଶର ଅବସ୍ଥା ଜରୁରୀକଳୀନ ସ୍ଥିତିରୁ ବଳିଗଲାଣି । ପୂରା ରାଜନୀତିକ ବ୍ୟବସ୍ଥା ନଷ୍ଟ ହୋଇଗଲାଣି । ବିଜେଡି ଓ ବିଜେପି ପୂରା ସମାନ । ସେମାନେ ଗୋଟିଏ ବ୍ୟବସ୍ଥା ମଧ୍ୟରେ କାମ କରୁଛନ୍ତି । ବିଜେଡି ଓ ବିଜେପି ମିଶିକି ଅଛନ୍ତି ବୋଲି ମେଂଟ କଥା ଉଠିଥିଲା । କିନ୍ତୁ କୌଣସି କାରଣରୁ ତାହା ହୋଇପାରିଲା ନାହିଁ । ବିଜେପିରେ ମୁଁ ଭଲ ଅନୁଭବ କଲି ନାହିଁ । ତେଣୁ ଛାଡ଼ି ଦେଲି । ଟିକେଟ ମିଳିଲାନି ବୋଲି ମୁଁ ବିଜେପି ଛାଡ଼ି ଦେଲି ବୋଲି ଯାହା କୁହାଯାଉଛି, ତାହା ଠିକ୍ ନୁହେଁ । ଚାହିଁଥିଲେ ମୁଁ କ’ଣ ସ୍ୱାଧୀନ ଭାବେ ବରୀରୁ ଛିଡ଼ା ହୋଇ ପାରି ନଥା’ନ୍ତି । ମୁଁ ଏକ ସଂସ୍କାର ପାଇଁ ବିଜେପିକୁ ଯାଇଥିଲି । ସେହି ଦଳରେ ଯୋଗ ଦେଲା ପରେ ଜାଣିଲି, ସେଠାରେ ଆହୁରି ଅରାଜକତା ଚାଲିଛି । ତେଣୁ ଛାଡ଼ି ଦେଲି ।

ସୂଚନାଯୋଗ୍ୟ ଯେ ଦେବାଶିଷ ବରୀରୁ ବିଜେଡି ଟିକେଟରେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦, ୨୦୦୪,୨୦୦୯ ଓ ୨୦୧୪ରେ ସେ ବରୀରୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନଥିଲା ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande