ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
ବିପ୍ଳବୀ ଧରଣୀଧରଙ୍କ ସ୍ୱାଭିମାନ ଓ ସାହସିକତା ଅବିସ୍ମରଣୀୟ: ଅତିଥି ଭୁବନେଶ୍ୱର, 06 ମଇ - ମହାନ ବିପ୍ଳବୀ ଧରଣୀଧର ନ
ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ


ବିପ୍ଳବୀ ଧରଣୀଧରଙ୍କ ସ୍ୱାଭିମାନ ଓ ସାହସିକତା ଅବିସ୍ମରଣୀୟ: ଅତିଥି

ଭୁବନେଶ୍ୱର, 06 ମଇ - ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କର ମାଟି ଓ ଜାତିପ୍ରୀତିର ପଟାନ୍ତର ନାହିଁ । ତାଙ୍କର ସ୍ୱାଭିମାନ ଓ ସାହସିକତା ଅବିସ୍ମରଣୀୟ । ତାଙ୍କ ବ୍ୟକ୍ତିତ୍ୱ ଥିଲା ସଂଗ୍ରାମ ଓ ସନ୍ନ୍ୟାସର ସମନ୍ୱୟ, ବିପ୍ଳବ ଓ ଭକ୍ତିର ମିଳନ । ଏଭଳି ଜଣେ ଦୂରଦ୍ରଷ୍ଟା ପ୍ରଜ୍ଞାପୁରୁଷ ଓଡ଼ିଶା ଇତିହାସରେ ଦୁର୍ଲ୍ଲଭ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ, ଭୁବନେଶ୍ୱରସ୍ଥିତ କେନ୍ଦୁଝର ନାଗରିକ ପରିଷଦ ଓ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତିର ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଭୂୟାଁ ମେଳିର କର୍ଣ୍ଣଧାର ବିପ୍ଳବୀ ଧରଣୀଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସଭାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ମାନ୍ୟବର ଶ୍ରୀଯୁକ୍ତ ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଧରଣୀଧର ନାୟକ ଥିଲେ ଅଦମ୍ୟ ସାହସ ଓ ଅସରନ୍ତି ଉର୍ଜାର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କ ସଂପର୍କରେ ଐତିହାସିକ ଓ ଗବେଷକମାନେ ଅଧିକ ଉଚ୍ଚତର ଗବେଷଣା କରିବା ଉଚିତ । ପୂର୍ବ ସମୟରେ ଏହି ପୁଣ୍ୟଭୂମିରେ ଯେଉଁଠି ବି ଅତ୍ୟାଚାର ହୋଇଛି ସେଠାରେ ପ୍ରତିରୋଧର ବହ୍ନି ପ୍ରଜ୍ୱଳିତ ହୋଇଛି । ଓଡ଼ିଆମାନଙ୍କର ସାହସ ଓ ବୀରତ୍ୱର ଗାଥା ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଧରଣୀଧର ଥିଲେ ଏପରି ଜଣେ ଯୁଗଜନ୍ମା ଓଡ଼ିଆ ଯାହାଙ୍କ ବୀରତ୍ୱର ଗାଥା ବାବଦରେ ଉତ୍ତରପିଢ଼ିଙ୍କୁ ଅବଗତ କରାଇବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ସେ ମତପୋଷଣ କରିଥିଲେ ।

ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଯେ ବିପ୍ଳବୀ ଧରଣୀଧର ଜଣେ ସାହସୀ, ସ୍ୱାଭିମାନୀ ଓ ସତ୍ୟନିଷ୍ଠ ପ୍ରଜ୍ଞା ପୁରୁଷ ଥିଲେ । ଜନଜାତିଙ୍କ ଆଦର୍ଶ ପୁରୁଷ ଭାବରେ ସେମାନଙ୍କୁ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ସେ ପ୍ରେରଣା ଦେଇଥିଲେ । ସେ ଓଡ଼ିଆ ଜାତିର ପ୍ରାତଃବନ୍ଦନୀୟ ଯୁଗପୁରୁଷ ବୋଲି ଶ୍ରୀ ମହାପାତ୍ର ଉଲ୍ଲେଖ କରିଥିଲେ ।

ବିଶିଷ୍ଟ ଶିକ୍ଷାବିତ୍ ଏବଂ ଗବେଷକ ଡ. ସୋମା ଚାନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ରଖି ଧରଣୀଧରଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଓ ଜୀବନାଦର୍ଶ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ଗଡ଼ଜାତ ଅଞ୍ଚଳରେ ବେଠି, ବଗାରି, ମାଗଣ ଓ ଭେଟି ପରି ଅନ୍ୟାୟଅନୀତି ବିରୁଦ୍ଧରେ ମେଳି ବା ସଂଗ୍ରାମ କରି ଦେଶ ସ୍ୱାଧୀନ ହେବା ପୂର୍ବରୁ ଧରଣୀଧର ଏକ ଜନମଙ୍ଗଳ ରାଷ୍ଟ୍ରର ପରିକଳ୍ପନା କରିଥିଲେ ବୋଲି ଡ. ଚାନ୍ଦ ପ୍ରକାଶ କରିଥିଲେ ।

କେନ୍ଦୁଝର ନାଗରିକ ପରିଷଦର ସଭାପତି ଶ୍ରୀ ହାଡିବନ୍ଧୁ ପଟ୍ଟନାୟକ ସମ୍ମାନନୀୟ ବକ୍ତା ଭାବେ ଯୋଗଦେଇ କହିଲେ ଯେ ବିପ୍ଳବୀ ଧରଣୀଧରଙ୍କ ଜାତିପ୍ରୀତି ଓ ସାହସିକତା ସବୁବେଳେ ଓଡ଼ିଆମାନଙ୍କୁ ପ୍ରେରଣା ଯୋଗାଉଥିବ । ସେ ଅସାଧାରଣ ଜ୍ଞାନ ଓ ଗରିମାର ଅଧିକାରୀ ଥିଲେ ଏବଂ ଜନଜାତିଙ୍କ ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ନିମନ୍ତେ ନିଜ ଜୀବନ ଉତ୍ସର୍ଗ କରିଥିଲେ ବୋଲି ସେ କହିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସଭାପତିତ୍ୱ କରି କହିଲେ ଯେ ରାଜାଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇପଡ଼ିଥିବା ଶାନ୍ତ, ସରଳ ଜନଜାତିଙ୍କୁ ଏକତି୍ରତ କରି ବିପ୍ଳବୀ ଧରଣୀଧର ଅନ୍ୟାୟ ଅନୀତି ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଏହି କ୍ରାନ୍ତିକାରୀ ଯୋଦ୍ଧା ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ । ତାଙ୍କ ଜୀବନୀ ଓ ଆଦର୍ଶ ଉତ୍ତରପିଢ଼ି ନିମନ୍ତେ ଅନୁକରଣୀୟ ହୋଇ ରହିବ ବୋଲି ସେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତିର ଉପଦେଷ୍ଟା ଶ୍ରୀ ବିଶ୍ୱନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ‘ଆଦୃତା’ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସୂଚନା ଅଧିକାରୀ ରୋଜାଲିନ୍ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ, ବହୁ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଆଜି ସକାଳେ ଇଏସ୍ଆଇ ହସ୍ପିଟାଲ୍ ଛକସ୍ଥିତି ମହାନ ବିପ୍ଳବୀ ଧରଣୀଧର ନାୟକଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସଂପର୍କ ବିଭାଗ ଓ ବିଭିନ୍ନ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର /


 rajesh pande