ପ୍ରଧାନମନ୍ତ୍ରୀ ମୋଦିଙ୍କ ମିଥ୍ୟା ଭାଷଣକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ – କଂଗ୍ରେସ
ଭୁବନେଶ୍ୱର, 7 ମଇ (ହି.ସ.) - ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଯେଉଁ ସବୁ ମିଥ୍ୟା ଭାଷଣ ଉ
ପ୍ରଧାନମନ୍ତ୍ରୀ ମୋଦିଙ୍କ ମିଥ୍ୟା ଭାଷଣକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ – କଂଗ୍ରେସ


ଭୁବନେଶ୍ୱର, 7 ମଇ (ହି.ସ.) - ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଯେଉଁ ସବୁ ମିଥ୍ୟା ଭାଷଣ ଉପସ୍ଥାପନ କଲେ ତାହାକୁ ଓଡ଼ିଶାର ସାଢ଼େ ଚାରିକୋଟି ଜନତା କେବେବି ଗ୍ରହଣ କରିବେ ନାହିଁ । ଗତ ୧୦ବର୍ଷ ଧରି କେନ୍ଦ୍ରରେ ସରକାର ଥିବା ମୋଦି ସରକାର ରାଜ୍ୟର ଯୁବକ, ମହିଳା, ଶ୍ରମିକ, କୃଷକ ଇତ୍ୟାଦି ସମସ୍ତ ବର୍ଗଙ୍କ ପ୍ରତି ଅନ୍ୟାୟ କରିଛନ୍ତି । କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇଥିବା କେବିକେ ଯୋଜନା କାହିଁକି ବନ୍ଦ ହେଲା, କଂଗ୍ରେସ ସରକାର ସମୟରେ ଯୋଜନା ୯୦:୧୦ ଅନୁପାତରେ ଆସୁଥିଲା କିନ୍ତୁ ବର୍ତମାନ ୬୦:୪୦ ଅନୁପାତରେ ଆସୁଛି । ଏହି ପାତରଅନ୍ତର ନୀତି କାହା ସ୍ୱାର୍ଥରେ ପ୍ରଧାନମନ୍ତ୍ରୀ ଉତର ନଦେଇ କେବଳ ତୁହା କୁ ତୁହା ମିଥ୍ୟା ଭାଷଣ ଦେଲେ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି ।

ଶ୍ରୀ କାନୁନଗୋ ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ଓଡ଼ିଶା ପାଇଁ ଆରମ୍ଭ ହୋଇଥିବା ୩୩ ଗୋଟି ଯୋଜନାରୁ ୮ଟି ଯୋଜନା ବନ୍ଦ କାହିଁକି? ମୋଦିଙ୍କ ସରକାର ଆସିବା ପରେ ରାଜ୍ୟ ପୁର୍ନଗଠନ ହେଲା କିନ୍ତୁ ଖରସୁଆଁ, ଷଢ଼େଇକଳା ଇତ୍ୟାଦି ଅଂଚଳ ଓଡ଼ିଶାକୁ କାହିଁକି ଫେରିଲା ନାହିଁ । ଛତିଶଗଡ଼ରେ ବିଜେପି ସରକାର ଥିବା ସମୟରେ ଓଡ଼ିଶାର ପାଣି ଅଟକିଲା । ଏ ସବୁର ଉତର ମୋଦିଙ୍କ ପାଖରେ ନଥିଲା । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କଥା ମୋଦି କହିବା ହାସ୍ୟାସ୍ପଦ କାରଣ ରାଜ୍ୟରେ ଉଭୟ ଦଳ ବିଜେପି ଓ ବିଜେଡ଼ି ପ୍ରଥମ ୯ ବର୍ଷ ଘୋଷିତ ଓ ପରେ ୧୫ ବର୍ଷ ଧରି ଘୋଷିତ ମେଂଟ ସରକାର ଚାଲିଛି । ୧୦ ବର୍ଷର ମୋଦି ସରକାରକୁ ପ୍ରତିଟି ପ୍ରସଙ୍ଗ ସଂସଦ ଓ ସଂସଦ ବାହାରେ ବିଜେଡ଼ି ଅଜାତିତ ସମର୍ଥନ କରିଆସୁଛି । ଏପରିକି ଦୁଇ ଦୁଇ ଥର ବିଜେଡ଼ିର ସମର୍ଥନରେ ରାଜ୍ୟସଭାକୁ ଯାଇଛନ୍ତି ବିଜେପି ନେତା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏପରିକି ନିଜେ ମୋଦି ପାର୍ଲାମେଂଟରେ ଓ ଓଡ଼ିଶା ଆସି ଜନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବାସହ ମିତ୍ର ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀର ଆଖ୍ୟା ଦେଇଛନ୍ତି । ୨୦୧୪ ନିର୍ବାଚନ ପୂର୍ବରୁ ଅମିତ ଶାହା ଭୁବନେଶ୍ୱର ସଭାରେ ଘୋଷଣା କରିଥିଲେ ସରକାର ଆସିଲେ ଖଣି ମାଫିଆ ଓ ଅଭିଯୁକ୍ତ ରାଜ୍ୟ ସରକାର ଜେଲ ଯିବେ । ୧୦ ବର୍ଷ କେନ୍ଦ୍ରରେ ସରକାର ରହିବା ମଧ୍ୟରେ କେତେଜଣଙ୍କୁ ଜେଲ ପଠାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ କାନୁନଗୋ । ଉଭୟ ସରକାରଙ୍କ ଲୋଲୁପ ଦୃଷ୍ଟି ଓଡ଼ିଶାର ଖଣିଜ ସମ୍ପଦ ଉପରେ ପଡ଼ିଛି । ଉଭୟ ମିଳିମିଶି ଏହାକୁ ଲୁଟ କରିବାର ନଜିର ରହିଛି । ୧୯୫୦-୨୦୦୦ ମଧ୍ୟରେ ଯେତିକି ଉତୋଳନ କରାଯାଇଥିଲା ଗତ ୧୦ ବର୍ଷ ମଧ୍ୟରେ ତାହା ୧୨ ଗୁଣା ବଢ଼ିଛି । ଏବେ କୋଇଲା ସେସ୍ ବାବଦରେ ଟନ ପିଛା ୪୦୦ ଟଙ୍କା ହାରରେ ଗତ ୧୦ବର୍ଷ ମଧ୍ୟରେ ୧୩ ଲକ୍ଷ କୋଟି ଟଙ୍କା ଶୋଷି ନେଇଛନ୍ତି କିନ୍ତୁ ରୟାଲିଟି କେନ୍ଦ୍ର ସରକାର ବଢ଼ାଇ ନାହିଁ । ସେହି ଅନୁପାତରେ ସେମାନେ ଓଡ଼ିଶା ପାଇଁ କୌଣସି ଆଖିଦୃଶିଆ କାର୍ଯ୍ୟ କରିନାହାନ୍ତି । ଆଦିବାସୀ ଅଂଚଳ ପାଇଁ ଥିବା ସ୍ପେସାଲ ଟ୍ରାଇବାଲ ପ୍ଲାନ ଏହି ସରକାର ସମୟରେ ସଂକୁଚିତ ହେଲା ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

ବିଜେଡ଼ି ନେତାମାନେ ଏବେ ଜଗିରଖି ମତ ରଖୁଛନ୍ତି । କେନ୍ଦ୍ରୀୟ ଅବହେଳା ଓ ଶୋଷଣ ବିଷୟରେ ଏମାନେ ସଂପୂର୍ଣ୍ଣ ନୀରବ । ଉଭୟ ଦଳର ଏହି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଓଡ଼ିଶାର ଅସ୍ମିତା ଓ ବିକାଶ ପାଇଁ ବିପଦ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande