ସକାଳ ୮.୩୦ରେ ଜାତୀୟ ପତାକା ଉତ୍ତୋଳନ କରିବେ ମହାମହିମ ରାଜ୍ୟପାଳ
ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା
ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ବରପୁତ୍ରମାନଙ୍କୁ କେନ୍ଦ୍ରରେ ରଖି ପ୍ରସ୍ତୁତି
ଭୁବନେଶ୍ୱର, 02 ଜାନୁଆରୀ - ଚଳିତ ବର୍ଷ ୭୬ ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନରେ ଓଡ଼ିଶାର ମହାମହିମ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ଏ ସଂକ୍ରାନ୍ତରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସାଧାରଣତନ୍ତ୍ର ଦିବସ ହେଉଛି ସମସ୍ତଙ୍କ ପାଇଁ ଗର୍ବ, ଗୌରବ ଓ ଭାବାବେଗର ପ୍ରତୀକ । ଏହି ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ ମହାତ୍ମା ଗାନ୍ଧୀ ମାର୍ଗରେ ହେବାକୁ ଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବାହ୍ନ ୮.୩୦ରେ ଜାତୀୟ ପତାକା ଉତ୍ତୋଳନ କରିବେ ଓ ଅଭିବାଦନ ଗ୍ରହଣ କରିବେ । ତେଣୁ ଉକ୍ତ ସମାରୋହର ପ୍ରସ୍ତୁତିର ବିଭିନ୍ନ ଦିଗକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିସ୍ତୃତ ଭାବରେ ସମୀକ୍ଷା କରିଥିଲେ । ସାଧାରଣତନ୍ତ୍ର ଦିବସ ସମାରୋହରେ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନକୁ ମୁଖ୍ୟ ଆଧାର ରୂପେ ଗ୍ରହଣ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ପ୍ରଦର୍ଶିତ ହେବାକୁ ଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ ଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା l
ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ, ପାର୍କ, ବସ୍ଷ୍ଟାଣ୍ଡ ଆଦିରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଭାତରେ ରାମଧୁନ୍ ପରିବେଷଣ ଦ୍ୱାରା ଦେଶପ୍ରେମ ଉଦ୍ରେକକାରୀ ପରିବେଶ ସୃଷ୍ଟି କରିବା ପାଇଁ ସମ୍ଭାବିତ ପଦକ୍ଷେପଗୁଡ଼ିକ ବିଷୟରେ ଆଲୋଚନା କରାଯାଇଥିଲା । ଏହା ସହ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପତାକା ଉତ୍ତୋଳନ ସ୍ଥାନଠାରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ, ସ୍ୱାଧୀନତା ଦିବସ ଉତ୍ସବର ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ଉତ୍ସବ ସ୍ଥଳର ସାଜସଜ୍ଜା, ନିମନ୍ତ୍ରିତ ଅତିଥିଙ୍କ ଉପବେସନ ବ୍ୟବସ୍ଥା ଆଦି ବଷୟରେ ଆଲୋଚନା ହୋଇଥିଲା ।
ସ୍ୱାଧୀନତା ଦିବସ ଉପଲକ୍ଷେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାରେ ଆଲୋକ ସଜ୍ଜାର ବ୍ୟବସ୍ଥା କରାଯିବ । ସେହିପରି ସୁରକ୍ଷା ବ୍ୟବସ୍ଥା ତଥା ଟ୍ରାଫିକ୍ ନିୟନ୍ତ୍ରଣକୁ କମିଶନରେଟ୍ ପୋଲିସ ପକ୍ଷରୁ ପରିଚାଳନା କରାଯିବ ।
ଏହି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର କୁମାର ପରିଡ଼ା, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ