ମୁମ୍ବାଇ, 18 ଅକ୍ଟୋବର (ହି.ସ.)- ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାରେ ଅବସ୍ଥିତ
ଚନ୍ଦ୍ରଶୈଳୀ ଘାଟିରେ ଶନିବାର ସକାଳେ ଅଷ୍ଟମ ପର୍ବତ ଯାତ୍ରା ପାଇଁ ଯାଉଥିବା ଏକ ଗାଡି
ଓଲଟିପଡିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୦ ଯାତ୍ରୀ ଆହତ
ହୋଇଛନ୍ତି। ସମସ୍ତଙ୍କୁ ତଲୋଦା ଉପଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାର ସୂଚନା ମିଳିବା ମାତ୍ରେ ନନ୍ଦୁରବାର ପୋଲିସ ଘଟଣାସ୍ଥଳରେ
ପହଞ୍ଚିଛି ଏବଂ ରିଲିଫ କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ
କରାଯାଉଛି। ପୋଲିସ ଅଧିକାରୀଙ୍କ ଏକ ବିବୃତି ଅନୁଯାୟୀ, ଧନତେରସ ଦିନ ସକାଳେ ଶ୍ରଦ୍ଧାଳୁମାନେ ଏକ ଘରୋଇ
ମାଲବାହୀ ଗାଡିରେ ଅଷ୍ଟମ ପର୍ବତ ଯାତ୍ରା ପାଇଁ ଯାଉଥିଲେ। ଯେତେବେଳେ ଗାଡିଟି ଚନ୍ଦ୍ରଶୈଳୀ ଘାଟରେ
ପହଞ୍ଚିଥିଲା, ଚାଳକ ନିୟନ୍ତ୍ରଣ ହରାଇ
ଦେଇଥିଲେ ଓ ଗାଡିଟି ଓଲଟିପଡିଥିଲା । ଏହି ଗାଡିରେ ପ୍ରାୟ ୪୦ ଜଣ ଶ୍ରଦ୍ଧାଳୁ ଥିଲେ। ଅନେକ ଲୋକ
ଯାନ ତଳେ ଦବିଯାଇଥିବା ଅଭିଯୋଗ ହୋଇଛି।
ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ଘଟିଛି, ଏବଂ ଆହତମାନଙ୍କ
ମଧ୍ୟରୁ ଗୁରୁତର ଅବସ୍ଥାରେ ଥିବା ଲୋକମାନଙ୍କୁ ନନ୍ଦୁରବାର ଜିଲ୍ଲା ହସ୍ପିଟାଲକୁ ନିଆଯାଇଛି ।
କିଛି ଆହତଙ୍କୁ ତଲୋଦା ଉପଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଓ ଆହତ ହୋଇଥିବା
ଲୋକମାନଙ୍କ ମଧ୍ୟରୁ ଅନେକେ ନନ୍ଦୁରବାର ଜିଲ୍ଲାର ଶହାଦା ତାହସିଲର ଭୁରାତୀ ଓ ବୈଜଳୀ ଗ୍ରାମର ବାସିନ୍ଦା
ବୋଲି ଜଣାପଡ଼ିଛି। ଗୁରୁତର ଆହତମାନେ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ
କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା