ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.)- ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ୯ ଜିଲ୍ଲାର ୨୭ ବ୍ଲକରେ ୧୦୦ରେ ସର୍ବାଧିକ ବର୍ଷା ହୋଇଛି। ଥୁଆମୁଲ୍ ରାମପୂର୍ ରେ ୩୫୨ ମିମି ବର୍ଷା ହୋଇଛି। ବଂଶଧାରା ମୁହାଣରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି। କାଶୀନଗରରେ ବିପଦ ସଂକେତ ଉପରେ ପାଣି ପ୍ରବାହିତ ହେଉଛି ଫଳରେ ବଂଶଧାରାରେ ବନ୍ୟା ଆସିଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି ବଂଶଧାରା ନଦୀର ଜଳସ୍ତର ଏବେ ୫୫.୨୪ ମିଟରରେ ରହିଛି। ୬୪ ମିଟର ଉପରେ ଏବେ ବି ପ୍ରବାହିତ ହେଉଛି। ହରଭଙ୍ଗି ନଦୀରୁ ପାଣି ଆସିବା ଫଳରେ ପାଣି ଆହୁରି ବଢିବ। ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିବା ସହ ସ୍ଥିତି ଉପରେ ନଜର ରଖିଛି। ଅନ୍ୟ କୌଣସି ସ୍ଥାନରେ ନଦୀରେ ବନ୍ୟା ସ୍ଥିତି ନାହିଁ। ଯଦିଓ ୮୯ଟି ବ୍ଲକ ରେ ୫୦ ମିମିରୁ ଅଧିକ ବର୍ଷା ହେଇଛି। ତଥାପି ବନ୍ୟା ସ୍ଥିତି ନାହିଁ। ହୀରାକୁଦରେ ଏବେ ଜଳସ୍ତର ୬୨୮.୬୭ ଫୁଟ ରେ ରହିଛି। ୧ଲକ୍ଷ ୬ ହଜାର କ୍ୟୁସେକ ହୀରାକୁଦ କୁ ପ୍ରବେଶ କରୁଛି। ୧ଲକ୍ଷ ୮୨ ହଜାର କ୍ୟୁସେକ ଜଳ ୯ ଟି ଗେଟ୍ ଦେଇ ନିଷ୍କାସିତ ହେଉଛି। ତେଲ ନଦୀ ରେ ବର୍ଷା ପ୍ରଭାବରେ କିଛି ଜଳସ୍ତର ବୃଦ୍ଧି ପାଇବ କିନ୍ତୁ ବନ୍ୟା ଆଶଙ୍କା ନାହିଁ। ଛତିଶଗଡରେ ଗତକାଲି ବର୍ଷା ହୋଇଛି, ଆଜି ମଧ୍ୟ ବର୍ଷା ହେବ। ହୀରାକୁଦରେ ଆଗକୁ ଅଧିକ ଗେଟ ଖୋଲିବ। ହେଲେ ସ୍ଥିତି ନିୟନ୍ତ୍ରଣ ରେ ରହିବ। କୋରାପୁଟ, ରାୟଗଡ଼ା, ଗଜପତିରେ ସମସ୍ତ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା