ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ବିକଶିତ ଭାରତ ଚିତ୍ରକଳା କର୍ମଶାଳା ଅକ୍ଟୋବର ୨ ତାରିଖରେ କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଚିତ୍ରକଳା କର୍ମଶାଳାରେ ୧୧୭ଜଣ ଚିତ୍ରଶିଳ୍ପୀ ଯୋଗଦେଇ ନିଜ ସ୍ୱପ୍ନର ବିକଶିତ ଭାରତକୁ କାନ୍ଭାସ୍ ରେ ଚିତ୍ରିତ କରିଥିଲେ।
ବିକଶିତ ଭାରତ ଚିତ୍ରକଳା କର୍ମଶାଳା କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିକଶିତ ଭାରତ ଗଠନ ନିମନ୍ତେ ଯୁବପିଢ଼ି ନିଜର ସକ୍ରିୟ ଯୋଗଦାନ ଦେବା ସହିତ ନିଜର ସ୍ୱପ୍ନର ଭାରତକୁ ଚିତ୍ରକଳା ମାଧ୍ୟମରେ ଗଢ଼ି ତୋଳିବା ପାଇଁ ସଚିବ ଶ୍ରୀ ଉପାଧ୍ୟାୟ ସମସ୍ତ ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରକାଶଯୋଗ୍ୟ ଯେ, ଏହି ଚିତ୍ରକଳା କର୍ମଶାଳାରେ ଚିତ୍ରଶିଳ୍ପୀମାନଙ୍କ ଦ୍ୱାରା ଚିତ୍ରିତ ହୋଇଥିବା ଚିତ୍ରକଳାଗୁଡ଼ିକୁ ଆସନ୍ତା ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ଆୟୋଜିତ ହେଉଥିବା ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଉଛି। ଚିତ୍ରକଳା କର୍ମଶାଳା କାର୍ଯ୍ୟକ୍ରମରେ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଶ୍ରୀମତୀ ଦେବଯାନୀ ଭୂୟାଁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରିତୀଶ ପଣ୍ଡା ଏବଂ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା