
ନୂଆଦିଲ୍ଲୀ, ୧୫ ନଭେମ୍ବର (ହି.ସ.)- କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶନିବାର କହିଛି ଯେ, ଜମ୍ମୁ ଓ କାଶ୍ମୀରର ନୌଗାମ ପୋଲିସ ଷ୍ଟେସନରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଏକ ଦୁର୍ଘଟଣାଜନିତ ବିସ୍ଫୋରଣରେ ୯ ଜଣ ପ୍ରାଣ ହରାଇଛନ୍ତି ଏବଂ ୩୨ ଜଣ ଆହତ ହୋଇଛନ୍ତି । ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଘଟଣାର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି । କାରଣ ବିଷୟରେ ଆଉ କୌଣସି ଅନୁମାନ ଅନାବଶ୍ୟକ ।
ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଜମ୍ମୁ ଓ କାଶ୍ମୀର ଡିଭିଜନ) ପ୍ରଶାନ୍ତ ଲୋଖଣ୍ଡେ, ନୌଗାମ ପୋଲିସ ଷ୍ଟେସନ ବିସ୍ଫୋରଣ ସମ୍ପର୍କରେ ଏକ ଗଣମାଧ୍ୟମ ବ୍ରିଫିଂରେ କହିଛନ୍ତି ଯେ, ନିକଟରେ ନୌଗାମ ପୋଲିସ ଷ୍ଟେସନ ଏକ ପୋଷ୍ଟରରୁ ମିଳିଥିବା ସୁରାକ୍ ଆଧାରରେ ଏକ ଆତଙ୍କବାଦୀ ମଡ୍ୟୁଲ ର ପର୍ଦାଫାଶ କରିଥିଲା । ଏହି ମାମଲା ସହିତ ଜଡ଼ିତ ଏଫଆଇଆର ନମ୍ବର ୧୬୨/୨୦୨୫ ର ତଦନ୍ତ ସମୟରେ, ବିପୁଳ ପରିମାଣର ବିସ୍ଫୋରକ ଏବଂ ରାସାୟନିକ ପଦାର୍ଥ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହୋଇଥିବା ବିସ୍ଫୋରକଗୁଡ଼ିକୁ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଥାନା ପରିସରରେ ଏକ ଖୋଲା ସ୍ଥାନରେ ସୁରକ୍ଷିତ ଭାବରେ ସଂରକ୍ଷଣ କରାଯାଇଥିଲା ।
ଲୋଖଣ୍ଡେ କହିଛନ୍ତି ଯେ, ଜବତ ହୋଇଥିବା ସାମଗ୍ରୀକୁ ଫରେନସିକ୍ ଏବଂ ରାସାୟନିକ ପରୀକ୍ଷା ପାଇଁ ପଠାଇବା ପ୍ରକ୍ରିୟା ଗତ ଦୁଇ ଦିନ ଧରି ଜାରି ରହିଛି । ଉଦ୍ଧାର ହୋଇଥିବା ବିସ୍ଫୋରକର ଅସ୍ଥିର ଏବଂ ସମ୍ବେଦନଶୀଳ ପ୍ରକୃତିକୁ ଦୃଷ୍ଟିରେ ରଖି, ବିଶେଷଜ୍ଞଙ୍କ ତତ୍ୱାବଧାନରେ ସେଗୁଡ଼ିକୁ ଅତ୍ୟନ୍ତ ସତର୍କତାର ସହିତ ପରିଚାଳନା କରାଯାଉଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ