
ନୂଆପଡା, ୧୬ ନଭେମ୍ବର (ହି.ସ.)- ନୂଆପଡାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି l ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ସାମ୍ବାଦିକ, ବିଭିନ୍ନ ବ୍ଲକରୁ ସାମ୍ବାଦିକ ମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ l ଚଳିତ ବର୍ଷ ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ ତରଫରୁ ଥିମ୍ ଥିଲା ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମର ବିଶ୍ୱାସନୀୟତାର ସଂରକ୍ଷଣ । ଜିଲ୍ଲାପାଳ ଶ୍ରୀ ଦାଶ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଲେ ଯେ, ସେମାନେ ମିଥ୍ୟା ସୂଚନାରୁ ଦୂରେଇ ରହି ସବୁବେଳେ ସତ୍ୟ ପ୍ରକାଶ କରିବାର ସାହସ ରଖିବା ଉଚିତ l ସମାଜର ତଳ ପାହାଚରେ ଥିବା ଅବହେଳିତ, ଦୁସ୍ଥ ଜନତାର ସ୍ଵରକୁ ପ୍ରଶାସନ ପାଖରେ ପହଞ୍ଚାଇବାର ଗୁରୁ ଦାୟୀତ୍ଵ ସାମ୍ବାଦିକ ମାନଙ୍କ ଉପରେ ନ୍ୟସ୍ତ ଅଛି l ଏହି ଅବସରରେ ସେ କହିଲେ, ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ନୁହେଁ ବରଂ ଏହା ପ୍ରଥମ ସ୍ତମ୍ଭ ତଥା ପ୍ରଥମ ଦମ୍ଭ l ସଭାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିଲେ l ବର୍ତ୍ତମାନର ଡିଜିଟାଲ ଯୁଗରେ ମିଥ୍ୟା ଏବଂ ନକଲି ଖବର ପ୍ରସାରଣରୁ ସମାଜକୁ କିଭଳି ସୁରକ୍ଷା ମିଳିବ ଏହି ବିଷୟରେ ସେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ l ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ସୁରେଶ ଆଚାରୀ, ସାମ୍ବାଦିକ ସିମାଞ୍ଚଳ ମହାପାତ୍ର, ଦିପକ ମିଶ୍ର ଜିଲ୍ଲାର ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉତ୍ଥାପନ କରିବା ସହିତ ଦିବସର ଥିମ୍ ଉପରେ ନିଜର ମତାମତ ରଖିଥିଲେ l
କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ବରିଷ୍ଠ ରାଜସ୍ଵ ସହାୟକ ବିଭୁଦତ୍ତ ମିଶ୍ର, ସହାୟକ ରାଜେଶ ରଞ୍ଜନ ବହିଦାର, ଗଦାଧର ମାଝି ପ୍ରମୁଖ ସହାୟତା କରିଥିଲେ l ଜିଲ୍ଲାର ସମସ୍ତ ସାମ୍ବାଦିକ, ସାମ୍ବାଦିକ ସଂଘ ମାନଙ୍କର ପ୍ରତିନିଧି ଏକତ୍ର ହୋଇ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଜିଲ୍ଲା ସଦର ମହକୁମାରେ ଏକ ସାମ୍ବାଦିକ ଭବନ ନ ଥିବାରୁ ଏହା ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଜିଲ୍ଲାପାଳ ସହୃଦୟତାର ସହିତ ଏହି ସମସ୍ୟା ହୃଦୟଙ୍ଗମ କରି ବିହୀତ ପଦକ୍ଷେପ ନେବା ପାଇଁ ଆଶ୍ଵାସନା ଦେଇଥିଲେ l ଆଜିର ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସମସ୍ତ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ ତଥା ୱେବ୍ ମିଡିଆ ପ୍ରତିନିଧି ମାନଙ୍କ ପାଇଁ ଏକ ସୁଖଦ ଅନୁଭୂତି ଆଣିଥିଲା l
ହିନ୍ଦୁସ୍ଥାନ ସମାଚାର / ହେମନ୍ତ