
ବଲାଙ୍ଗିର, ୧୬ ନଭେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଜାତୀୟ ପ୍ରେସ ଦିବସ-୨୦୨୫ ସ୍ଥାନୀୟ ସାମ୍ବାଦିକ ଭବନରେ ପାଳିତ ହୋଇଯାଇଛି । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ପ୍ରେମଚାନ୍ଦ ମହାନ୍ତି ମଂଚାସୀନ ହୋଇଥିବା ବେଳେ ଅନ୍ୟତମ ଅତିଥି ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସଂଘ ଉପସଭାପତି ବଳରାମ ମିଶ୍ର ଓ ଡିଆଇପିଆର୍ଓ ରାଜେନ୍ଦ୍ର ମାଝୀ ଯୋଗ ଦେଇଥିଲେ । ଚଳିତ ବର୍ଷର ଶୀର୍ଷକ ‘ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱାସନୀୟତାର ସଂରକ୍ଷଣ’ ରହିଛି । ମଂଚାସୀନ ଅତିଥିମାନେ ଉପରୋକ୍ତ ଶୀର୍ଷକ ସଂପର୍କରେ ଗଭୀର ଆଲୋଚନା କରିଥିଲେ ।
ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ସୁଧୀର ମିଶ୍ର, ଦୀପକ ପୁରୋହିତ, ପାର୍ଥ ମହାପାତ୍ର, ମୁକେଶ ବହିଦାର, ତରୁଣ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସାମ୍ବାଦିକ ବିରେନ୍ଦ୍ର ଝାଙ୍କର ମଂଚ ପରିଚାଳନା କରିଥିଲେ । ସହରର ବହୁ ସାମ୍ବାଦିକ ଓ ବୁଦ୍ଧିଜୀବିମାନେ ଏଥିରେ ଯୋଗଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ