ନବସୃଜନ ଏବଂ ସମାବେଶିତାର ପ୍ରତୀକ ପାଲଟିବ ଆଇଏଫଏଫଆଇ 2025 : କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍
ନୂଆଦିଲ୍ଲୀ, 07 ନଭେମ୍ବର (ହି.ସ) 56ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) 20 ନଭେମ୍ବରରୁ 28 ନଭେମ୍ବର, 2025 ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଏଫଏଫଆଇ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି । ଏକ
ନବସୃଜନ ଏବଂ ସମାବେଶିତାର ପ୍ରତୀକ ପାଲଟିବ ଆଇଏଫଏଫଆଇ 2025 : କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍


ନୂଆଦିଲ୍ଲୀ, 07 ନଭେମ୍ବର (ହି.ସ) 56ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) 20 ନଭେମ୍ବରରୁ 28 ନଭେମ୍ବର, 2025 ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଏଫଏଫଆଇ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି । ଏକ ବ୍ୟାପକ ଏବଂ ବିବିଧ କାର୍ଯ୍ୟକ୍ରମ ସ୍ୱରୂପ ଏହି ମହୋତ୍ସବରେ 81 ଟି ଦେଶରୁ 240 ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏଥିସହିତ 13ଟି ଓ୍ୱାର୍ଲ୍ଡ ପ୍ରିମିୟର, 4ଟି ଅନ୍ତର୍ଜାତୀୟ ପ୍ରିମିୟର ଏବଂ 46ଟି ଏସୀୟ ପ୍ରିମିୟର ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ଏହି ମହୋତ୍ସବ 127ଟି ଦେଶରୁ ରେକର୍ଡ 2,314ଟି ଆବେଦନ ପାଇଛି। ଏହା ବିଶ୍ୱ ମହୋତ୍ସବ ସର୍କିଟରେ ଆଇଏଫଏଫଆଇର ବର୍ଦ୍ଧିତ ପ୍ରମୁଖତାକୁ ସ୍ପଷ୍ଟ କରେ।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ କହିଛନ୍ତି, ଚଳିତ ବର୍ଷର ଆଇଏଫଏଫଆଇ ନବସୃଜନ ଏବଂ ସମାବେଶୀତାକୁ ପ୍ରତିଫଳିତ କରୁଥିବା ଅନେକ ନୂତନ ପଦକ୍ଷେପ ଆରମ୍ଭ କରିବାକୁ ଯାଉଛି । ଚଳିତ ଥର 50ରୁ ଅଧିକ ମହିଳା ନିର୍ଦ୍ଦେଶିକାଙ୍କ ଚଳଚ୍ଚିତ୍ରକୁ ମହୋତ୍ସବରେ ସ୍ଥାନ ମିଳିଛି । ଏହା ଚଳଚ୍ଚିତ୍ରରେ ନାରୀ ଶକ୍ତି ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ୱେବ୍ ଏବଂ ଷ୍ଟ୍ରିମିଂ ବିଷୟବସ୍ତୁକୁ ନେଇ ଚଳିତ ବର୍ଷ ମଧ୍ୟ ଓଟିଟି ପୁରସ୍କାର ଦିଆଯିବ। ମହୋତ୍ସବରେ ସ୍କ୍ରିନ୍ ରାଇଟିଂ, ପ୍ରଡକ୍ସନ ଡିଜାଇନ ଏବଂ ସାଉଣ୍ଡ ଭଳି କ୍ଷେତ୍ରରେ ନୂଆ ଏବଂ ଉଦୀୟମାନ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦିଆଯିବ। ଦେଶରେ ଆଣ୍ଟି ପାଇରେସି ଆଇନକୁ କଡ଼ାକଡ଼ି କରିବା ଏବଂ ଚଳଚ୍ଚିତ୍ର ପ୍ରମାଣୀକରଣ ପ୍ରକ୍ରିୟାକୁ ସରଳ କରିବା ଲାଗି ପଦକ୍ଷେପ ନିଆଯାଉଥିବା ସେ କହିଥିଲେ। ବହୁଭାଷୀ ଚଳଚ୍ଚିତ୍ର ପାଇଁ ସିବିଏଫସିର ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରମାଣପତ୍ର ଭାରତର ସାଂସ୍କୃତିକ ଏକତାକୁ ପ୍ରୋତ୍ସାହିତ କରିବ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ କହିଥିଲେ, ଭାରତୀୟ ସିନେମା ବିଶ୍ୱ ସ୍ତରରେ ଏକ ଦୃଢ଼ ପ୍ରଭାବ ପକାଇବାରେ ଲାଗିଛି, ଅଷ୍ଟ୍ରେଲିଆ ବକ୍ସ ଅଫିସରେ ହଲିଉଡ ରିଲିଜକୁ ପଛରେ ପକାଇ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ଭଲ ପ୍ରଦର୍ଶନ କରୁଛନ୍ତି। ଜାପାନ, ସ୍ପେନ୍ ଏବଂ ଅଷ୍ଟ୍ରେଲିଆ ଚଳିତ ବର୍ଷ ଆଇଏଫଏଫଆଇରେ ନୂତନ ସହଯୋଗ ନେଇ ଆସିବେ। ପ୍ରଯୋଜନା ସଂସ୍ଥା, ରାଜ୍ୟ ଏବଂ ସାଂସ୍କୃତିକ ଗୋଷ୍ଠୀମାନଙ୍କୁ ନେଇ ଏକ ଭବ୍ୟ କାର୍ନିଭାଲ୍ ପରେଡ୍ ଏକ ଜୀବନ୍ତ ପରିବେଶ ସୃଷ୍ଟି କରିବ। ଅନ୍ୟପଟେ ଏକ ବୃହତ୍ ଫିଲ୍ମ ବଜାର ଅନ୍ତର୍ଜାତୀୟ ସହ-ପ୍ରଯୋଜନାକୁ ପ୍ରୋତ୍ସାହିତ କରିବ।

ଆଇଏଫଏଫଆଇରେ ଏଥର ‘ଇଫେଷ୍ଟା’ କାର୍ଯ୍ୟକ୍ରମ ଜରିଆରେ ଗୀତ, ସଂସ୍କୃତି ଏବଂ ମନୋରଞ୍ଜନକୁ ପ୍ରୋତ୍ସାହନ ଦିଆଯିବ। ଏହା ଚଳଚ୍ଚିତ୍ର, ଖାଦ୍ୟ, କଳା ଏବଂ ମତବିନିମୟ ଅନୁଭୂତି ଜରିଆରେ ବିଭିନ୍ନ ବର୍ଗକୁ ଏକାଠି କରିବ ବୋଲି ଶ୍ରୀ ଜାଜୁ କହିଥିଲେ।

ଆଇଏଫଏଫଆଇ 2025ର ମହୋତ୍ସବ ନିର୍ଦ୍ଦେଶକ ଶେଖର କପୁର କହିଛନ୍ତି, ଭାରତ ବିଶ୍ୱର ସର୍ବବୃହତ ଚଳଚ୍ଚିତ୍ର ନିର୍ମାଣ ଏବଂ ଚଳଚ୍ଚିତ୍ର ଦେଖାଉଥିବା ରାଷ୍ଟ୍ର, ଯାହା କାହାଣୀ ପ୍ରତି ଲୋକଙ୍କ ଭଲ ପାଇବାକୁ ସମ୍ମାନ ଦେଇଥାଏ। ସେ ଗୁରୁତ୍ୱାରୋପ କରି କହିଥିଲେ, କାହାଣୀ କହିବା ଦ୍ୱାରା ସଂସ୍କୃତି ମଧ୍ୟରେ ବୁଝାମଣା ଏବଂ ଶାନ୍ତି ସ୍ଥାପନ ହୁଏ। ଫିଲ୍ମ ବଜାର ଉପରେ ଆଲୋକପାତ କରି ସେ ଏହାକୁ ଏକ ଆନ୍ଦୋଳନ ବୋଲି କହିଥିଲେ ଯାହା ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଯୁବ ସ୍ରଷ୍ଟାମାନଙ୍କୁ ସଶକ୍ତ କରିଥାଏ। ସେ ଆହୁରି ମଧ୍ୟ କହିଥିଲେ ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ ସୃଜନଶୀଳ ଉପକରଣ ଭାବରେ ଦେଖାଯିବା ଉଚିତ ଯାହା କାହାଣୀକାରମାନଙ୍କୁ ବିଶ୍ୱ ସହିତ ଭାରତର କାହାଣୀ ବାଣ୍ଟିବାରେ ସାହାଯ୍ୟ କରିବ।

ଆଇଏଫଏଫଆଇ 2025ର ଘୋଷଣା କାର୍ଯ୍ୟକ୍ରମରେ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଧୀରେନ୍ଦ୍ର ଓଝା, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ପ୍ରଭାତ, ଯୁଗ୍ମ ସଚିବ (ଚଳଚ୍ଚିତ୍ର) ଡକ୍ଟର ଅଜୟ ନାଗଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଦିଆଯାଇଥିବା ସୂଚନା ମୁତାବକ ଚଳିତ ଥର ଗାବ୍ରିଏଲ ମାସ୍କାରୋଙ୍କ ନିର୍ଦ୍ଦେଶିତ ରୋମାଞ୍ଚ ଓ ବିଜ୍ଞାନ ଆଧାରିତ ବ୍ରାଜିଲିୟାନ ଫିଚର ଫିଲ୍ମ ଦ ବ୍ଲୁ ଟ୍ରେଲକୁ ଉଦଘାଟନୀ ଚଳଚ୍ଚିତ୍ର ରୂପେ ପ୍ରଦର୍ଶିତ କରାଯିବ। ଗାଲା ପ୍ରିମିୟର ବିଭାରେ 13ଟି ୱାର୍ଲ୍ଡ ପ୍ରିମିୟର, 2ଟି ଏସୀୟ ପ୍ରିମିୟର, ଗୋଟିଏ ଇଣ୍ଡିଆ ପ୍ରିମିୟର ଏବଂ 2ଟି ସ୍ୱତନ୍ତ୍ର ଶୋ’କେସ୍ ସ୍କ୍ରିନିଂ ହେବ। ଏଥର ଅନ୍ତର୍ଜାତୀୟ ବିଭାଗରେ 160ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। 80ଟି ପୁରସ୍କାର ବିଜେତା ଏବଂ 21ଟି ଓସ୍କାର ନାମାଙ୍କିତ ଚଳଚ୍ଚିତ୍ର ସ୍କ୍ରିନିଂ କରାଯିବ। ବିଶ୍ୱର ସିନେମା ବର୍ଗରେ 55ଟି ଏବଂ ସ୍ୱତନ୍ତ୍ର ଚୟନ ବର୍ଗରେ 133ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ସ୍ୱତନ୍ତ୍ର ସମ୍ମାନିତ ରାଷ୍ଟ୍ର ରୂପେ ଜାପାନ ଅଂଶଗ୍ରହଣ କରିବ । ଜାପାନୀ ସିନେମା, ଅନୁଷ୍ଠାନିକ ସହଯୋଗ ଏବଂ ସାଂସ୍କୃତିକ ପ୍ରଦର୍ଶନୀକୁ ନେଇ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦର୍ଶିତ ହେବ। ମହୋତ୍ସବରେ ଡକ୍ୟୁ-ମୋଣ୍ଟାଜ୍, ଫ୍ରମ୍ ଦି ଫେଷ୍ଟିଭାଲ୍ସ, ରାଇଜିଂ ଷ୍ଟାର୍ସ, ମିଶନ୍ ଲାଇଫ୍, ପରୀକ୍ଷାମୂଳକ ଫିଲ୍ମ, ରିଷ୍ଟୋର୍ଡ୍ କ୍ଲାସିକ୍ସ, ମ୍ୟାକାବ୍ରେ ଡ୍ରିମ୍ସ, ୟୁନିସେଫ୍ ଏବଂ ସିନେମା ଅଫ୍ ଦି ୱାର୍ଲ୍ଡ ଆଦି ସମେତ 15ଟି ପ୍ରତିଯୋଗିତାମୂଳକ ଏବଂ ସ୍ୱତନ୍ତ୍ର ବର୍ଗ ରହିବ ।

ଆଇଏଫଏଫଆଇ 2025 ବିଭିନ୍ନ ଚଳଚ୍ଚିତ୍ରର ଶତବାର୍ଷିକୀ ପାଳନ କରିବ ଏବଂ କିମ୍ବଦନ୍ତୀ ଚଳଚ୍ଚିତ୍ର ନିର୍ମାତା ଗୁରୁ ଦତ୍ତ, ରାଜ ଖୋସଲା, ରିତିକ୍ ଘଟକ, ପି ଭାନୁମାତୀ, ଭୁପେନ ହଜାରିକା, ଏବଂ ସଲିଲ ଚୌଧୁରୀଙ୍କ ଶ୍ରେଷ୍ଠ ଚଳଚ୍ଚିତ୍ର ପ୍ରଦର୍ଶନ କରି ସେମାନଙ୍କୁ ସମ୍ମାନ ଜଣାଇବ। ମହୋତ୍ସବରେ ସଲିଲ ଚୌଧୁରୀଙ୍କ ‘ମୁସାଫିର’ ଏବଂ ରିତିକ୍ ଘଟକଙ୍କ ‘ସୁବର୍ଣ୍ଣରେଖା’ ପ୍ରଦର୍ଶିତ ହେବ। ଚଳଚ୍ଚିତ୍ର ଜଗତରେ 50 ବର୍ଷର ଜାଜ୍ଜୁଲ୍ୟମାନ କ୍ୟାରିଅର ସମ୍ପୂର୍ଣ୍ଣ କରିଥିବା କିମ୍ବଦନ୍ତୀ ଅଭିନେତା ରଜନୀକାନ୍ତଙ୍କୁ ଉଦଯାପନୀ ସମାରୋହରେ ସମ୍ମାନିତ କରାଯିବ।

ଇଣ୍ଡିଆନ ପାନୋରମା ବର୍ଗରେ 25ଟି ଫିଚର, 20ଟି ଅଣ ଫିଚର ଏବଂ 5ଟି ପଦାର୍ପଣକାରୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏହି ବର୍ଗରେ ତାମିଲ ଚଳଚ୍ଚିତ୍ର ଅମରନ ପ୍ରଥମେ ପ୍ରଦର୍ଶିତ ହେବ। ଇଣ୍ଡିଆନ ପାନୋରମା ବର୍ଗକୁ ଛାଡ଼ି ବିଶ୍ୱ, ଅନ୍ତର୍ଜାତୀୟ, ଏସୀୟ ଏବଂ ଭାରତୀୟ ପ୍ରିମିୟର ହୋଇଥିବା ପାଞ୍ଚଟି ସ୍ୱତନ୍ତ୍ର ଫିଚର ଫିଲ୍ମ ପ୍ରଦର୍ଶିତ ହେବ। ମହିଳାଙ୍କ ଦ୍ୱାରା ନିର୍ଦ୍ଦେଶକ 50ରୁ ଅଧିକ ଚଳଚ୍ଚିତ୍ର ଏବଂ ପଦାର୍ପଣକାରୀ ଚଳଚ୍ଚିତ୍ରକୁ ପ୍ରଦର୍ଶିତ କରାଯିବା ସହ ଶ୍ରେଷ୍ଠ ପଦାର୍ପଣକାରୀ ନିର୍ଦ୍ଦେଶକଙ୍କୁ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ। ସେହିପରି ଓଟିଟି ବର୍ଗରେ ବିଜେତାଙ୍କୁ 10 ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ। କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋର ପାଇଁ 799ଟି ଆବେଦନ ମିଳିଥିବା ବେଳେ ଏଥର 124ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ୱେଭ୍ସ ଫିଲ୍ମ ବଜାରର ଉନବିଂଶତମ ସଂସ୍କରଣରେ 300ରୁ ଅଧିକ ଚଳଚ୍ଚିତ୍ର ପ୍ରକଳ୍ପ ସ୍ଥାନ ପାଇବ। ଏହାର ସହ-ପ୍ରଯୋଜନା ବଜାରରେ 22ଟି ଫିଚର ଏବଂ 5ଟି ପ୍ରମାଣିକ ଚଳଚ୍ଚିତ୍ରକୁ ସ୍ଥାନ ମିଳିବ। ଏଥିରେ ମଧ୍ୟ 40 ହଜାର ଡଲାରରୁ ଅଧିକ ପୁରସ୍କାର ରାଶି ରଖାଯାଇଛି।

ମହୋତ୍ସବରେ ମାର୍କେଟପ୍ଲେସ୍ ଓ ସହପ୍ରଯୋଜନା ସୁଯୋଗର ସନ୍ଧାନ କରାଯିବ। ଏହାବ୍ୟତୀତ ଚଳଚ୍ଚିତ୍ରପ୍ରେମୀ ଏବଂ ପେସାଦାରଙ୍କ ପାଇଁ ମାଷ୍ଟର କ୍ଲାସ, ପାନେଲ ଆଲୋଚନା ଏବଂ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ମହୋତ୍ସବ ପାଇଁ 5ଟି ପ୍ରମୁଖ ସ୍ଥାନକୁ ଚୟନ କରାଯାଇଛି। ସବୁ ସ୍ଥାନକୁ ଦିବ୍ୟାଙ୍ଗଙ୍କ ସମେତ ସମସ୍ତଙ୍କ ପାଇଁ ଅନୁକୂଳ କରାଯାଇଛି। ମହୋତ୍ସବ ପାଇଁ ବିଶ୍ୱ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ବିଚାରକ ରୂପେ ଚୟନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande