
କେନ୍ଦୁଝର, 7 ନଭେମ୍ବର (ହି.ସ.)ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ରାଜ୍ୟସ୍ତରୀୟ ଜନଜାତି ଛାତ୍ର ଓ ଛାତ୍ରୀ ସମ୍ମିଳନୀ କେନ୍ଦୁଝରରେ ଚଳିତ ମାସ ୧୬ ଏବଂ ୧୭ ଦ୍ଵିଦିବସ କାର୍ଯକ୍ରମ ହେବାକୁ ଯାଉଛି । କାର୍ଯ୍ୟକ୍ରମରେ ଓଡ଼ିଶା ପୂର୍ବ ପ୍ରାନ୍ତରୁ ଯଥା କନ୍ଧମାଳ, ଗଜପତି, ରାୟଗଡ଼ା, ମୟୁରଭଞ୍ଜ , ରାଉଲକେଲା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିବାର ଆଶା ରହିଛି। ଏଥିରେ ଜନଜାତି ସଂସ୍କୃତି ସୁରକ୍ଷା ଦେବା ସହ ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ସରକାରୀ ଯୋଜନା ସମ୍ବନ୍ଧରେ ସଚେତନ କରିବା ଏବଂ ସେମାନଙ୍କ ଶିକ୍ଷାଗତ ଉନ୍ନତି ପାଇଁ ପ୍ରେରଣା ଦେବା ଲକ୍ଷ୍ୟରେ ଏହି ଦ୍ୱିଦିବସୀୟ ଆଦିବାସୀ ଛାତ୍ର ସମ୍ମେଳନର ଆୟୋଜନ କରାଯାଇଛି।
ଏହି ସମ୍ମେଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିବାସୀ ସମୁଦାୟର ଛାତ୍ର ଛାତ୍ରୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ବିଭିନ୍ନ ଲାଭକାରୀ ଯୋଜନା ସମ୍ବନ୍ଧରେ ସଂପୂର୍ଣ୍ଣ ଧାରଣା ଦେବା। ଏଥିରେ ଛାତ୍ରବୃତ୍ତି, ବାସଗୃହ, ଟ୍ୟୁସନ ଫି, ପାଠ୍ୟପୁସ୍ତକ, ଯୋଗାଯୋଗ ଭତ୍ତା, ପୋଷାକ ଆଦି ସୁବିଧା ସହିତ ଉଚ୍ଚ ଶିକ୍ଷା ଏବଂ ରୋଜଗାରମୂଳକ ପ୍ରଶିକ୍ଷଣ ଯୋଜନା ଏବଂ ସେମାନଙ୍କ ସଂସ୍କୃତି କୁ ସୁରକ୍ଷା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯିବ।
ଶିକ୍ଷା ବିଭାଗ, ଆଦିବାସୀ କଲ୍ୟାଣ ବିଭାଗ ଏବଂ ଛାତ୍ରବୃତ୍ତି ପରିଷଦର ବିଶେଷଜ୍ଞଙ୍କୁ ନିମନ୍ତ୍ରଣ କରାଯାଇ ସେମାନେ ଛାତ୍ର ଛାତ୍ରୀଙ୍କୁ ସରଳ ଓ ସହଜ ଭାଷାରେ ଯୋଜନାଗୁଡିକ ବୁଝାଇବେ।
ଛାତ୍ର ଛାତ୍ରୀଙ୍କ ପାଇଁ ଏକ ପ୍ରଶ୍ନୋତ୍ତର ଅଧିବେଶନର ବ୍ୟବସ୍ଥା ରହିଛି, ଯେଉଁଥିରେ ସେମାନେ ସରକାରୀ ଯୋଜନା, ଆବେଦନ ପ୍ରକ୍ରିୟା ଓ ଅର୍ହତା ସମ୍ପର୍କରେ ପ୍ରତ୍ୟକ୍ଷ ଭାବରେ ପ୍ରଶ୍ନ ପଚାରି ପାରିବେ।
ଜନଜାତି ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ମଧ୍ୟ ରହିଛି ଯେଁଉ ଥିରେ ସେମାନେ ତାଙ୍କର ସାଂସ୍କୃତିକ ବେଶଭୂଷା ପରିଧାନ କରି ପଥ ଚଳନ କରିବେ ସମ୍ମେଳନରେ ଆଦିବାସୀ ସଂସ୍କୃତିକୁ ପ୍ରତିଫଳିତ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ।
ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ ସର୍ବଦା ଜନଜାତି ଛାତ୍ର ଉପରେ ଗୁରୁତ୍ବ ଦେଇ ଆସିଛି।ଏହି ଦ୍ୱିଦିବସୀୟ ସମ୍ମେଳନ ଆଦିବାସୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା, ସେମାନଙ୍କୁ ସରକାରୀ ସୁଯୋଗ ସୁବିଧା ସମ୍ପର୍କରେ ଓ ନିଜର ଭାଷା ସଂସ୍କୃତି ପ୍ରତି ସଚେତନ କରାଇବା ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ପଥ ପ୍ରଦର୍ଶନ କରିବ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ଆଶା ପ୍ରକାଶ କରିଛନ୍ତି।
ଏହି ପ୍ରେସ ମିଟ୍ ରେ ରାଜ୍ଯ ସହ ସମ୍ପାଦକ କ୍ଷୀରୋଦ ପଣ୍ଡା, ମୟୂରଭଞ୍ଜ ବିଭାଗ ସହ ସଂଯୋଜକ ଚିନ୍ମୟ କୁମାର ବାରିକ, କେନ୍ଦୁଝର ଜିଲ୍ଲା ସଂଯୋଜକ ସ୍ଵରାଜ କେତନ ମହାନ୍ତ ଏବଂ ଦୀପକ ମୁଣ୍ଡା ମତ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA