

ସମ୍ବଲପୁର, ୩୧ ଡିସେମ୍ବର (ହି.ସ.) - ସମ୍ବଲପୁରୀ ସାହିତ୍ୟ ଏବଂ ସଂସ୍କୃତିର ପୁରୋଧା ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କର ୪୬ ତମ ପୂଣ୍ୟତିଥି ଅବସରରେ ବୁଧବାର ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଜେଲଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ପରିସରରେ ଥିବା ଗୁରୁଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯବା ସହ ତାଙ୍କ ଜୀବନାଦର୍ଶର ସ୍ମୃତିଚାରଣ କରାଯାଇଛି । ସକାଳେ ସର୍ବ ପ୍ରଥମେ ପଶ୍ଚିମାଂଚଲ ଏକତା ମଂଚ ପକ୍ଷରୁ ଗୁରୁଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଗୁରୁଙ୍କ ନାମରେ ରହିଥିବା ସମ୍ବଲପୁରୀ ଡେରାକୁ ଆହୁରି ବିକଶିତ କରାଯାଇ ସମ୍ବଲପୁରୀ ପ୍ରେମୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ଭାବେ ତିଆରି କରାଯିବାକୁ ସଂକଳ୍ପ କରାଯାଇଥିଲା । ସମ୍ବଲପୁରୀ ଡେରାକୁ ସମ୍ବଲପୁରୀର ପ୍ରଚାର ପ୍ରସାରର କେନ୍ଦ୍ର ଭାବେ ବିକଶିତ କରିବାକୁ ପ୍ରତି ରବିବାର ସମ୍ବଲପୁରୀ ନାଚ ଗୀତ ଏବଂ ଚିତ୍ରକଳା ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ହାତକୁ ନିଆଯିବାକୁ ବୈଠକରେ ସ୍ଥିର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇ ନୃତ୍ୟ ଗୁରୁ ରଞ୍ଜିତ ସାହୁଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଆସନ୍ତା ଜାନୁଆରୀ ୧୫ ତାରିଖରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ନେଇ ଗୁରୁ ରଞ୍ଜିତ ସାହୁ ପ୍ରସ୍ତାବ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ଗୁରୁ ମାନଙ୍କୁ ସାମିଲ କରାଯାଇ ସମ୍ବଲପୁରୀ ନାଚ ଗୀତକୁ ଆହୁରୀ ପ୍ରସସ୍ତ କରାଯିବା ନେଇ ଆଲୋଚନା କରାଯାଇଥିଲା । ଜିଲା ପ୍ରଶାସନ ସହଯୋଗରେ ଡେରା ପରିସରରେ ବିଗତ ଦୁଇ ବର୍ଷ ଭିତରେ ଅନେକ ପଦକ୍ଷେପ ନିଆଯାଇଛି । ତେବେ ୨୦୧୭ ରୁ ଯୋଜନା ରହିଥିବା ସମ୍ବଲପୁରୀ ସଂଗ୍ରହାଳୟ ଏବଂ ପୁସ୍ତକାଳୟ ନିର୍ମାଣ ହୋଇ ପାରି ନାହିଁ । ତେଣୁ ନୂତନ ବର୍ଷରେ ସେ ଦିଗରେ ପଦକ୍ଷେପ ନିଆଯିବାକୁ ବୈଠକରେ ସ୍ଥିର କରାଯାଇଥିଲା । ଏହାସହ ଡେରାର କିଛି ଅଂଶ ବର୍ତମାନ ମଧ୍ୟ ଖୋଲା ରହିଥିବା ବେଳେ ଅସାମାଜିକ ବ୍ୟକ୍ତି ମାନଙ୍କ ଦୌରାତ୍ମ୍ୟ ଦେଖା ଦେଇଥିବାରୁ ତାକୁ ଯଥାଶିଘ୍ର ପାଚେରୀ ବ୍ୟବସ୍ଥା କରିବାକୁ ବୈଠକରେ ଦାବି କରାଯାଇଥିଲା । ଗୁରୁଙ୍କର ପୂଣ୍ୟତିଥି ଅବସରରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଡେରା ପରିସରକୁ ଆସି ବୁଲି ଦେଖତ୍ୱା ସହ ଡେରାର ବିକାଶ ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ । ଏହାପରେ ଓଡିଶା ସାଂସ୍କୃତିକ ସମାଜ, ସମ୍ବଲପୁରୀ ଧନୁଯାତ୍ରା କମିଟୀ, ସମ୍ବଲପୁର ଯୋଗ ପରିବାର, ଭାରତୀ ସମାଜ, ନାଟ ନାଟୁଆ, କଳା ଓ କଳାକାର, ନାରୀ ସେବା ସଂଘ, ସମ୍ବଳପୁରୀ ଭାଷା ସଂସ୍କୃତି ପରିଷଦ, ସମ୍ବଲପୁର କିକ ବକ୍ସିଂ ଏସୋସିଏସନଙ୍କ ଭଲି ବହୁ ଅନୁଷ୍ଠାନର କର୍ମକର୍ତା ଉପସ୍ଥିତ ରହି ଗୁରୁଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିବା ସହ ସମ୍ବଲପୁରୀ ସଂସ୍କୃତିର ପ୍ରଚାର ଦିଗରେ ଗୁରୁଙ୍କ ଅବଦାନ ସମ୍ପର୍କରେ ଆଳୋଚନା କରିଥିଲେ । ସହରର ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଡ ପ୍ରମୋଦ ରଥ, ଡ. ପରେଶ ଦାନୀ, ଦୀନବନ୍ଧୁ ପଣ୍ଡା, ଦାମୋଦର କର, କବିତା ପୁରୋହିତ, ସୁରେଖା ସାହୁ, ନାଟୁ ଗୋପାଳ ପାତ୍ର, ସୁରେନ୍ଦ୍ର ନାୟକ, ସୂର୍ଯ୍ୟ ପାଣିଗ୍ରାହୀ, ଅଶୋକ ସାହୁ, ବିରଂଚି ନାରାୟଣ ନାୟକ, ଅମିତାଭ ମାଝୀ, ରାଜେଶ ସ୍ୱାଇଁ, ବିକାଶ ତ୍ରୀପାଠୀ, ପ୍ରଜ୍ଞା ଦିକ୍ଷୀତ, ବିଚିତ୍ରାନନ୍ଦ ଆଚାର୍ଯ୍ୟ, ଯୋଗେଶ ନନ୍ଦ, ପ୍ରଦୀପ୍ତ ସୁଶାରୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ