ଓଡ଼ିଆ ପକ୍ଷର ଦ୍ବାଦଶ ଦିବସ ବରପୁତ୍ରମାନଙ୍କ ସଂପର୍କରେ ଆଲୋଚନାଚକ୍ର
ଓଡ଼ିଆ ପକ୍ଷର ଦ୍ବାଦଶ ଦିବସ ବରପୁତ୍ରମାନଙ୍କ ସଂପର୍କରେ ଆଲୋଚନାଚକ୍ର
ଓଡ଼ିଆ ପକ୍ଷର ଦ୍ବାଦଶ ଦିବସ ବରପୁତ୍ରମାନଙ୍କ ସଂପର୍କରେ ଆଲୋଚନାଚକ୍ର


ସମ୍ବଲପୁର, ୧୨ ଏପ୍ରିଲ୍ (ହି.ସ.)

ସମ୍ବଲପୁରରେ ଓଡ଼ିଆ ପକ୍ଷ ପାଳନ ପରିପ୍ରେକ୍ଷୀରେ ଆଜି ଦ୍ବାଦଶ ଦିବସରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ Gangadhar Meher ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବରପୁତ୍ରମାନଙ୍କ ସଂପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ ଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଡ. ଶ୍ୟାମ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଡ. ଦ୍ବାରିକାନାଥ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ମାମୁନି ଆଚାର୍ଯ୍ୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଯୁକ୍ତା କୁ​ଲ୍ଲୁ ମଞ୍ଚାସୀନ ଥିଲେ। ସହକାରୀ ପ୍ରଫେସର ଡ. ରଂଜନ ସେଠୀ କର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ ସହକାରୀ ପ୍ରଫେସର ଡ. ଲିପିକା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଓଡ଼ିଶାର ବରପୁତ୍ରଙ୍କ ଅବଦାନକୁ ନେଇ ପ୍ରସ୍ତୁତ ବୃତ୍ତିଚିତ୍ର ପ୍ରଦର୍ଶିତ ହୋଇଥିଲା।

ଏହାପରେ ଡ. ଦ୍ବାରିକାନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ ଶିକ୍ଷାବିତ୍‌ ଅରବିନ୍ଦ ମହାପାତ୍ର ସ୍ବାଧୀନତା ସଂଗ୍ରାମୀ ନୃସିଂହ ଗୁରୁ ଏବଂ ଚନ୍ଦ୍ରଶେଖର ବେହେରାଙ୍କ ସଂପର୍କରେ ଆଲୋକପାତ କରିଥିଲେ। ଗବେଷକ ଗଣେଶରାମ ନାହାକ ମହାନ ବିପ୍ଲବୀ ସୁରେନ୍ଦ୍ର ସାଏଙ୍କ ଜୀବନ ସଂଘର୍ଷ ଉପରେ ବକ୍ତବ୍ୟ ରଖିଥିଲେ। ​ଅନ୍ୟତମ ଆଲୋଚକ ନାଟ୍ୟକାର ତଥା ନାଟ୍ୟନିର୍ଦ୍ଦେଶକ ପ୍ରଖ୍ୟାତ ଅଭିନେତା, ଶିକ୍ଷାବିତ୍‌ ଶରତ ଚନ୍ଦ୍ର ପୂଜାରୀଙ୍କ ବିଷୟରେ ବିସ୍ତୃତଭାବରେ କହିଥିଲେ। ଲକ୍ଷ୍ମୀନାରାୟଣ ହୋତାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ସହକାରୀ ପ୍ରଫେସର ଡ. ନବୀନ ଜାଲ ଧନ୍ୟବାଦ ଦେଇଥିଲେ। ଆଲୋଚନା ଚକ୍ରର ଦ୍ବିତୀୟ ଅଧିବେଶନରେ ଡ. ଗୌରିଦାସ ପ୍ରଧାନ ପ୍ରଖାତ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ବାଳ, ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଓ ଗୋକୁଳାନନ୍ଦ ପଣ୍ଡା ପ୍ରମୁଖଙ୍କ ସଂପର୍କରେ ଆ​ଲୋଚନା କରିଥିବାବେଳେ ଅଖିଳ ବିଶ୍ବାଳ ଏବଂ ଡ. ରଂଜନ ସେଠୀ ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ରହିଥିବା ବରପୁତ୍ରମାନଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ। ଏଥିରେ ଡ. ମନୋଜ କୁମାର ପଣ୍ଡା ସ୍ବାଗତ ବକ୍ତବ୍ୟ ଦେଇଥିଲେ। ପୂର୍ବରୁ ଅନ୍‌ଲାଇନ ମାଧ୍ୟମରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande