ଭୁବନେଶ୍ୱର,୧୫ ମଇ (ହି.ସ,) - ଭାରତ ସରକାରଙ୍କ ଆତଙ୍କବାଦୀ ବିରୋଧୀ ଅଭିଯାନ ‘ଅପରେସନ ସିନ୍ଦୂର’ ଭାରତର ସୈନିକ ଶକ୍ତିର ଶୌର୍ଯ୍ୟ, ସାହସ ଏବଂ ପରାକ୍ରମର ବଡ଼ ପ୍ରମାଣ ବୋଲି ଗଣମାଧ୍ୟମର ଏ ସମ୍ପର୍କିତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆତଙ୍କବାଦ ବିରୋଧରେ ଏକ ନିର୍ଣ୍ଣାୟକ ଲଢେଇ ପାଇଁ ଅପରେସନ ସିନ୍ଦୂରର ସଫଳତା ପରେ ତିନି ସେନାକୁ ଓଡ଼ିଶା ତରଫରୁ ଶୁଭେଚ୍ଛା ଜଣାଇଥିବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ପାକିସ୍ତାନ ସୀମା ଭିତରେ ଆମର ବାୟୁ ସେନାବାହିନୀମାନେ ପ୍ରବେଶ କରି ପ୍ରଥମେ ସେମାନଙ୍କ ୯ଟି ଠିକଣା ସ୍ଥାନକୁ ନଷ୍ଟ କଲେ । ଭାରତର ସନ୍ୟଶକ୍ତିର ପରାକ୍ରମ, ଭାରତୀୟ ସମାଜର ପ୍ରତିବଦ୍ଧତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଣ୍ଣାୟକ ନେତୃତ୍ୱର ପରାକାଷ୍ଠା ସାରା ବିଶ୍ୱ ଦେଖିଲା । ଦେଶରେ ସୈନିକଶକ୍ତିଙ୍କ ମନୋବଳକୁ ବଢାଇବା ତଥା ଅପରେସନ ସିନ୍ଦୂର ସମର୍ଥନରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ ପାଇଁ ଦେଶବାସୀଙ୍କୁ ଆହ୍ୱାନ କରାଯାଇଛି । ଏହାକୁ ନେଇ ଓଡ଼ିଶା ସମେତ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି ।
ଅପରପକ୍ଷରେ ଗୋପାଳପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଭାର୍ଗବାସ୍ତ୍ର ନୂଆ ଭାବରେ ନିର୍ମିତ ହୋଇଛି। ଭାର୍ଗବାସ୍ତ୍ର ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଆହୁରି ଆଧୁନିକ କରିବ । ଡିଆରଡିଓର ଏହି ସଫଳତା ପରେ ଓଡିଶା ଆଜି ଗର୍ବିତ । ଭାରତର ଭୂମିକା, ସେନାର ଭୂମିକାକୁ ନେଇ ଆମେ ଗୌରବାନ୍ୱିତ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ପାକିସ୍ତାନର କ୍ଷେପଣାସ୍ତ୍ର ଭାରତ ଶକ୍ତି ଆଗରେ ଫିକା ପଡିଛି । ଏଭଳି ବିଷୟରେ ସମାଲୋଚନା କରିବା ପୂର୍ବରୁ ବିରୋଧୀ ପକ୍ଷ ଧୈର୍ଯ୍ୟର ସହ ଦାୟିତ୍ୱସମ୍ପନ୍ନ ବ୍ୟବହାର କରିବା ଦରକାର ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା