ଜୟପୁର, ୧୬ ମଇ (ହି.ସ.)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ପରଡିଗୁଡା ଗାଁ ରେ ବଜ୍ରପାତ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଦିନ ଦ୍ୱିପହରରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା । ବର୍ଷା ସମୟରେ ନିଜ ଧାନ ବିଲ ନିକଟରେ ଥିବା କୁଡ଼ିଆରେ ଆଇ ନାତୁଣୀ ଆଶ୍ରୟ ନେଇଥିବା ବେଳେ ତାଙ୍କ କୁଡ଼ିଆ ଉପରେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ହିଁ ୬୦ ବର୍ଷୀୟା ବୃଦ୍ଧା ବୁଦ୍ରୀ ମାଣ୍ଡିଙ୍ଗା ଓ ତାଙ୍କ ନାତୁଣୀ ୧୬ ବର୍ଷୀୟା କସା ମାଣ୍ଡିଙ୍ଗାଙ୍କ ମୃତ୍ୟୁ ହୋଇଥିଲା । ସେହିପରି ବର୍ଷା ଯୋଗୁଁ ଗାଁ ନିକଟରେ ଥିବା ଏକ ଗଛ ତଳେ ଆଶ୍ରୟ ନେଇଥିବା ୩୫ ବର୍ଷୀୟା ଅମ୍ବିକା କାଶୀଙ୍କ ଉପରେ ମଧ୍ୟ ବଜ୍ରପାତ ପଡିବାରୁ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ଅବସ୍ଥାରେ ରହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ