ସମ୍ବଲପୁର, ୧୬ ମଇ (ହି.ସ.) - ପୂର୍ବତନ ବାମଣ୍ଡା ରାଜ୍ୟରେ ବର୍ତମାନର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ଉପଖଣ୍ଡ ସାମିଲ ଥିଲା । ଆଜି କୁଚିଣ୍ଡା ଉପଖଣ୍ଡ ସଦର ମହକୁମା ସ୍ଥିତ ଆଦିବାସୀ ଭବନରେ ବିଶିଷ୍ଟ ସାହିତ୍ୟିକ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ୱରେ ତତ୍କାଳୀନ ବାମଣ୍ଡାର ଜଣେ ସୁଶାସକ ଭାବେ ପରିଚିତ ବାସୁଦେବ ସୁଢ଼ଲ ଦେବଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଏଥିରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟ ଅତିଥି ଓ ସୁନ୍ଦରଗଡ଼ ଷ୍ଟେଟ ବ୍ୟାଙ୍କର ଅବସର ପ୍ରାପ୍ତ ଶାଖା ପରିଚାଳକ ଜଗନ୍ନାଥ ଲାକ୍ରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସଭାପତି ଓ ଅତିଥି ଗଣ ସୁଢଲ ଦେବ ଙ୍କ ଫଟୋ ଚିତ୍ର ସମ୍ମୁଖ ରେ ଦୀପ,ଧୂପ ଓ ପୁଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଭାଷଣରେ ସେତେ ବେଳେ ଓଡ଼ିଶା ଗଠନ ହୋଇନଥିଲେ ବି ବିଜୁଳିବତୀ, ଛପାଖାନା, ଯୋଗଯୋଗ, ପାନୀୟ ଜଳ ଆଦିର ସୁଯୋଗ ସୃଷ୍ଟି କରି ଭାବି ଓଡ଼ିଶା ଏବଂ ସାହିତ୍ୟ ପତ୍ରିକା ପ୍ରକାଶନ ଓ କବିଙ୍କୁ ସମ୍ବର୍ଦ୍ଧନା ଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଗତି ପାଇଁ ବାଟ ଫିଟାଇଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ କାର୍ଯ୍ୟକ୍ରମର ଅନ୍ୟତମ ଆବାହକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜମନକିରା ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଜେମାଦେଇ ମାଝି, ଆଦିବାସୀ ନେତା ପଂଚାନନ ପ୍ରଧାନ, ଅଲେଖ ପତି, ରଜନୀ ପଟେଲ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶେଷରେ ପାଣ୍ଡବ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ