ଜୟପୁର, ୧୬ ମଇ (ହି.ସ.)- ପର୍ଯ୍ୟାପ୍ତ ସାକ୍ଷ୍ଯ ଏବଂ ପ୍ରମାଣ ଅଭାବରୁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଡଃ. ସଂଘମିତ୍ରା ଦାସ ସହରର ହୋମିଓପାଥି ଔଷଧ ବିକ୍ରେତା ସୁଧାଂଶୁ କୁମାର ସାହୁଙ୍କୁ ଏକ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଏହି ମାମଲା ଟିଆର୍ - ୮୩/୨୦୨୨ ଅନୁସାରେ ଗତ ୨୦୨୦ ମସିହା ଫେବୃଆରୀ ୫ ତାରିଖ ଦିନ ସାହୁଙ୍କ ଲିଙ୍ଗରାଜ ନଗର ଘର ଭିତରେ ପୋଲିସ୍ ଏବଂ ଡ୍ରଗସ୍ ନୀରିକ୍ଷକଙ୍କ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା । ଏହି ସମୟରେ କିଛି ଔଷଧ ଜବତ ହୋଇଥିଲା ଯାହା ନିଶା କାରବାର ପାଇଁ ପ୍ରଯୁଜ୍ୟ ଥିବା ତଦନ୍ତକାରି ଅଧିକାରୀ ମାନେ ଜାଣି ମାମଲା ରୁଜୁ କରିଥିଲେ । ଏହି ଆଧାରରେ ଜୟପୁର ଟାଉନ ଥାନା ସାହୁଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୨୦/୨୭୫/୨୭୬ ସାଙ୍ଗକୁ ଡ୍ରଗସ୍ ଏବଂ କସ୍ମେଟିକ୍ସ ଆଇନ ୧୯୪୦ ର ଧାରା ୨୭(ବି) ii ଓ ଓଡ଼ିଶା ଅବକାରୀ ଆଇନ- ୨ ୦୦୮ର ଧାରା ୫୨(ଏ) ଅନୁସାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲା ବିଚାର ବେଳେ କୋର୍ଟ ୬ ଜଣଙ୍କ ସାକ୍ଷଗ୍ରହଣ କରି ଉପଯୁକ୍ତ ପ୍ରମାଣ ଅଭାବରୁ ସାହୁଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି ।
ସାହୁଙ୍କ ପାଇଁ ବରିଷ୍ଠ ଆଇନଜୀବି ତେଜେଶ୍ୱର୍ ପଣ୍ଡାଙ୍କ ସହ ଗଙ୍ଗାଧର ନାୟକ, ରାଜେନ୍ଦ୍ର କୁମାର ଗୌଡ଼ ଏବଂ ବେଦ ରାମାନୁଜ ପ୍ରସାଦ ପ୍ରମୁଖ ମାମଲା ପରିଚାଳନା କରୁଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି