ସମ୍ବଲପୁର, ୧୬ ମଇ (ହି.ସ.) - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସ୍ଥାୟୀ ସ୍ଥାନକୁ ଉଦଘାଟନ ଓ ସ୍ଥାୟୀ ସ୍ଥାନରେ ଗୃହ ନିର୍ମାଣର ଶୁଭ ପ୍ରଦାନକୁ ବହୁ ବରିଷ୍ଟ ନାଗରିକ ଓ ଆଦିବାସୀ ନେତାଗଣ ସ୍ୱାଗତ କରିଛନ୍ତି । ଏଥି ପାଇଁ ଦେଢ଼ ବର୍ଷ ତଳେ ତାଙ୍କୁ ଏହି ନେତାଗଣ ଏଥିପାଇଁ ଦାବିପତ୍ର ଦେଇଥିବା ସୂଚନା ଦେଇ ଏହା ପୁରଣ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି । ଅନୁରୂପ ଭାବରେ ୪ ବର୍ଷ ପୂର୍ବରୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ବି ବାମରା, ଜମନକିରା ଓ ଯୁଯୁମୁରା ବ୍ଲକ୍ ରେ ଚଳିତ ବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଅନୁରୂପ ଅସ୍ଥାୟୀ କେମ୍ପସ ଚୟନ କରି ଉଦଘାଟନ କରିବା ଓ ବାମରା ବ୍ଲକର ଗୃହ ନିର୍ମାଣ ଶେଷ ହୋଇ ଆସିଥିବାରୁ ତାକୁ ଉଦଘାଟନ ତଥା ଜମନକିରା ଓ ଯୁଯୁମୁରାରେ ସ୍ଥାନ ନିରୂପଣ ସାରିଥିବାରୁ ଶିଳାନ୍ୟାସ କରିବାକୁ ସମ୍ବଲପୁରର ସଂସଦ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ ପୂର୍ବକ ଦାବି କରାଯାଇଛି । କେନ୍ଦୁପତ୍ର ବିଭାଗ ଫରେଷ୍ଟ ଗେଷ୍ଟ ହାଉସର ଉପର ମହଲାରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ପୂର୍ବତନ କଲେଜ୍ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ପୂର୍ବ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଜମନକିରାର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ଜିଲ୍ଲା ପରିଷଦ ସଭ୍ୟା ଜେମାଦେଇ ମାଝୀ, କିଶାନ ସମାଜ ଜିଲ୍ଲା ସଭାପତି ପଂଚାନନ ପ୍ରଧାନଙ୍କ ସମେତ ବହୁ ଆଦିବାସୀ ଜନତା ସ୍ୱାକ୍ଷର କରିଥିବା ବେଳେ ଉପଖଣ୍ଡ ଓ ଯୁଯୁମୁରାର ବିଭିନ୍ନ ଅଂଚଳରୁ ଆସିଥିବା ଆଦିବାସୀ ସାମାଜିକ କର୍ମୀ ଗଣ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ