ବ୍ରହ୍ମପୁର, ୧୬ ମଇ (ହି.ସ.)- ବ୍ରହ୍ମପୁର ର ଅନ୍ୟତମ ପୁରାତନ ଉଚ୍ଚ ବିଦ୍ୟାଳୟ ପୁରୁଣା ବ୍ରହ୍ମପୁର ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ଚଳିତ ୨୦୨୪ ଓ ୨୦୨୫ ଶିକ୍ଷାବର୍ଷ ଦଶମୀ ଶ୍ରେଣୀ ପରୀକ୍ଷାରେ ୯୫ ପ୍ରତିଶତ ଉତ୍ତୀର୍ଣ୍ଣ ହାର ହୋଇଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ବିଦ୍ୟାଳୟରେ ଅଧିକାଂଶ ଛାତ୍ରଛାତ୍ରୀ ଆର୍ଥିକ ଅନଗ୍ରସର ସହ ବିଦ୍ୟାଳୟରେ ଶିକ୍ଷକ ଅଭାବ ସତ୍ତ୍ବେ ମୋଟ ୪୫ ଜଣ ଙ୍କ ମଧ୍ୟରେ ୪୩ ଜଣ ଛାତ୍ରଛାତ୍ରୀ ବିଭିନ୍ନ ଗ୍ରେଡ଼ ରେ ଉତ୍ତୀର୍ଣ୍ଣ
ହୋଇଛନ୍ତି। ଏହି ଅବସରରେ ବିଦ୍ୟାଳୟ ର ୧୯୭୪ ମସିହା ମେଟ୍ରିକ୍ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଏକ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରମିଳା କୁମାରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିବାବେଳେ ଛାତ୍ର ସଂସଦ ର ଆବାହକ ନିରଞ୍ଜନ ମହାପାତ୍ର, ସଭାପତି ଅକ୍ଷୟ କୁମାର ପଟ୍ଟନାୟକ, ଉପଦେଷ୍ଟା ମହେନ୍ଦ୍ର ଅଗ୍ରୱାଲ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ବେହେରା ଓ ଉପସଭାପତି ପ୍ରାଧ୍ୟାପକ ଶଙ୍କର ପ୍ରସାଦ ପାଢୀ ପ୍ରମୁଖ ମଞ୍ଚାସିନ୍ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ।
ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ୮୫ ପ୍ରତିଶତ ରଖିଥିବା ଆର୍ଥିକ ଅନଗ୍ରସର ପରିବାର ଛାତ୍ରୀ ଟିନା ନାୟକ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ର ଏ. ଜନାର୍ଦ୍ଦନ ଓ ଛାତ୍ରୀ ପ୍ରତିଭା ପ୍ରିୟା କରାଡ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସଂସଦ ତରଫରୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଦ୍ୟାଳୟରେ ଘୋର ଶିକ୍ଷକ ଅଭାବ ସତ୍ତ୍ବେ ଛାତ୍ରଛାତ୍ରୀ ମାନେ ନିଷ୍ଠାର ସହ ଅକ୍ଳାନ୍ତ ପରିଶ୍ରମ କରି ୯୫ ପ୍ରତିଶତ ପାସ ହାର ରଖିଥିବା ରୁ ପ୍ରଧାନ ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚନା ରେ ଅଂଶଗ୍ରହଣ କରି ସଞ୍ଚାସିନ କର୍ମକର୍ତ୍ତା ଏହି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ବିଶେଷ କରି ସମସ୍ତ ଶ୍ରେଣୀ ନିମନ୍ତେ ଯଥାଶୀଘ୍ର ଶିକ୍ଷକ ନିଯୁକ୍ତି ଏବଂ ବିଦ୍ୟାଳୟ କୋଠା ର ଉପର ମହଲା ଛାତ ବିପଦସଂକୁଳ ଅବସ୍ଥାରେ ଜରାଜୀର୍ଣ୍ଣ ହୋଇ ଖସି ପଡୁଥିବାରୁ ତାର ଯଥାଶୀଘ୍ର ମରାମତି ନିମନ୍ତେ କତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦୃଢ଼ ମତ ପ୍ରକାଶ ପାଇଥିଲା। ଏବଂ ଏହି ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲିି ମଧ୍ୟ ଆଲୋଚନା କରାଯାଇଥିଲା। ଏହି ସମ୍ବର୍ଦ୍ଧନା ପ୍ରଦାନ ସଭାରେ କୋଡିଏ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ଦେବୀଙ୍କ ସମେତ ଛାତ୍ର ସଂସଦ ସଦସ୍ୟ ଏଲ୍ ନାଗେଶ୍ଵର ପାତ୍ର,ସନ୍ୟାସୀ ସେନାପତି, ବିଜୟ ମହାପାତ୍ର, ସୀମାଞ୍ଚଳ ସାହୁ,କେ. ଭୀମେଶ୍ବର ରାଓ ପ୍ରମୁଖ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ