ପୁରୀ, ୧୬ ମଇ (ହି.ସ.)- ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲା ଦୀଘାରେ ଜଗନ୍ନାଥ ଧାମ ନାମକରଣକୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି । ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ତ୍ରିରଙ୍ଗା ଧର୍ମ ବଞ୍ଚାଅ ଯାତ୍ରା ରାଲି କରାଯାଇ ସିପସରୁବାଲି ମୌଜାରେ ପଶ୍ଚିମବଙ୍ଗକୁ ଦିଆଯାଇଥିବା ଜମି ଉପରେ ପତକା ପୋତି ଦଖଲକୁ ନେଉଛୁ ବୋଲି ଶ୍ରୀଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି । ଏହି ଜମିରେ ଗରିବ ଭକ୍ତ ମାନେ ମାଗଣାରେ ରହି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବେ ଏବଂ ସରକାର ଏହି ଜମିକୁ ବାତିଲ କରିବା ପାଇଁ ସେନା ଦାବି କରିଛି । ସିଂହଦ୍ବାର ଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । କଲିକତାରେ ନକଲି ଜଗନ୍ନାଥ ଧାମ କରି ଓଡ଼ିଆଙ୍କ ଭାବାବେଗ ଉପରେ କୁଠାରଘାତ କରିଛନ୍ତି । ଜଗନ୍ନାଥଙ୍କ ସହ ଖେଳି ଗତ ନିର୍ବାଚନରେ ଗୋଟିଏ ଦଳ ହାରିଯାଇଛି । ଏଣୁ ଜଗନ୍ନାଥଙ୍କ ସହ ଖେଳ ଖେଳି ଆଗାମୀ ଦିନରେ ମମତା ଏହାର ଫଳ ଭୋଗିବେ ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି । ସେନାର କର୍ମୀମାନେ ମୋଟରସାଇକେଲ ଶୋଭାଯାତ୍ରା କରି ସିପସରୁବାଲି ଠାରେ ପତକା ପୋତିବା ସହ ସିଂହଦ୍ଵାର ସମ୍ମୁଖରେ ସ୍ଲୋଗାନ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ