ଭଦ୍ରକ, ୧୦ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା କୁବେରା ପଂଚାୟତ ଅଧୀନ କଷଟି ଗ୍ରାମରେ ଗୋ ଚାଲାଣକୁ ବିରୋଧ କରି ସନ୍ତୋଷ ପରିଡା (୪୦)ନାମକ ଜଣେ ଯୁବକ ସଂଖ୍ୟାଲଘୁ ଶ୍ରେଣୀର କିଛି ଗୋ ମାଫିଆଙ୍କ ଆକ୍ରମଣରେ ସଂକଟାପନ୍ନ ହୋଇ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଘଟଣାର ମୁଖ୍ୟ ଦୁଇ ଅଭିଯୁକ୍ତ ସେକ୍ ସଦାମ ହୋସେନ ଓ ସାଇଫୁଲ ରହେମାନ ଆଜି କଟକରୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ରାଜ୍ୟ ଓ ରାଜ୍ୟ ବାହାରେ ଚଢାଉ ଜାରି ରହିଛି। ଏଠାରେ ସୂଚନାଯୋଗ୍ୟ କେତେକ ଗୋରୁ ବେପାରୀ କଷଟି ଗ୍ରାମରୁ ଗୋରୁ ନେଇ ଗୁଜିଦରଡ଼ା ଗ୍ରାମକୁ ଯାଉଥିଲେ । ଭୂୟାଁବାଟିଟାଙ୍କି ଠାରେ କଷଟି ଗ୍ରାମର ସନ୍ତୋଷଙ୍କ ସମେତ କେତେକ ବ୍ୟକ୍ତିଙ୍କ ସହ ସେମାନଙ୍କର ବଚସା ହୋଇଥିଲା । ପରେ ସେମାନେ ସନ୍ତୋଷଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ସନ୍ତୋଷଙ୍କ ପତ୍ନୀ ମିନତୀଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମକଦ୍ଦମା (ନଂ ୧୯୭/୨୫)ରୁଜୁ କରିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା ।ମାତ୍ର ପୋଲିସର ହସ୍ତକ୍ଷେପ ପରେ ଏହା ପ୍ରଶମିତ ହୋଇଥିଲା । ତେବେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସନ୍ତୋଷଙ୍କ ଅବସ୍ଥା ଉଦବେଗଜନକ ଥିବା ଏବଂ ସେ ଆଇସିୟୁରେ ରହିଥିବା ଖବର ମିଳିବା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିଲା । ଏହି ଘଟଣାରେ ପୁଲିସ୍ ପୂର୍ବରୁ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଏପର୍ଯ୍ୟନ୍ତ ଉକ୍ତ ଗ୍ରାମରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ