ସରକାର ନଦୀ ସଂକ୍ରାନ୍ତରେ ଏକ ଶ୍ୱେତ ପତ୍ର ସହିତ ନଦୀ ନୀତି ଆଣନ୍ତୁ
ଭୁବନେଶ୍ୱର, ୧୩ ଜୁନ୍ - ମହାନଦୀ ବଞ୍ଚାଓ ଆନ୍ଦୋଳନ ଓ ଓଡିଶା ନଦୀ ସୁରକ୍ଷା ସମିତି ତରଫରୁ ଆଜି ଭୁବନେଶ୍ୱରଠାରେ ଓଡିଶା ନଦୀ ସୁରକ୍ଷା ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ନଦୀ ଗୁଡିକର ସ୍ୱାସ୍ଥ୍ୟ ଅତି ସଙ୍କଟାପନ୍ନ ଓ ସେଗୁଡିକର ସୁରକ୍ଷା ପାଇଁ ଏଥିରେ ଉଦବେଗ ପ୍ରକାଶ କରାଯଇଛି । ରାଜ୍ୟର ନଦୀ ସଂକ୍ରାନ୍ତ ରେ ଏକ ଶ୍ୱେତ ପତ୍ର ପ୍ରକାଶ ଓ ରାଜ୍ୟ ପାଇଁ ଏକ ନଦୀ ନୀତି ପ୍ରଶୟନ ପାଇଁ ସମ୍ମିଳନୀ ସରକାରଙ୍କ ଠାରେ ଦୃଢ଼ ଦାବି କରିଛି । ଏହା ସହିତ ସ୍କୁଲ ଓ କଲେଜ ଗୁଡିକରେ ନଦୀ ସୁରକ୍ଷା ବିଷୟକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ନିଷ୍ପତି ହୋଇଛି ।
ସମ୍ମିଳନୀକୁ ଉଦଘାଟନ କରି ଜଳ ମାନବ ଡ଼ଃ. ରାଜେନ୍ଦ୍ର ସିଂ କହିଲେ ଯେ ସଂପ୍ରତି ଓଡ଼ିଶାର ନଦୀ ଗୁଡିକର ସ୍ୱାସ୍ଥ୍ୟ ଗମ୍ଭୀର । ଅନେକ ନଦୀ ମରିବାକୁ ବସିଲାଣି। ନଦୀର ସ୍ୱାସ୍ଥ୍ୟ ଠିକ ନ ରହିଲେ ରାଜ୍ୟର ସ୍ୱାସ୍ଥ୍ୟ ଠିକ ରହିବ ନାହିଁ ବୋଲି ସେ ଚେତାବନୀ ଦେବା ସହିତ ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ସେଗୁଡିକର ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନେବା ଜରୁରୀ ବୋଲି କହିଥିଲେ । ସରକାର ତୁରନ୍ତ ଜଳ ସମ୍ପଦ ବିଭାଗ, ବିଶେଷଜ୍ଞ, ନଦୀ ଆନ୍ଦୋଳନର କର୍ମୀ ତଥା ନାଗରିକ ସମାଜର ଏକ ମିଳିତ କନଭେନସନ ଆୟୋଜନ କରି ନଦୀ ଗୁଡିକରେ ସମସ୍ୟା ଗୁଡିକୁ ନିରୂପଣ କରିବା ସହିତ ସମାଧାନର ରାସ୍ତା ବାହାର କରିବାକୁ ସେ ଦାବି ରଖିଥିଲେ ।
ଅନ୍ୟତମ ଅତିଥି ଭାବରେ ଯୋଗଦେଇ ପୂର୍ବତନ ପ୍ରଶାସକ ଡ଼ ଅରବିନ୍ଦ ବେହେରା କହିଲେ ଯେ ବିକାଶ ନାମରେ ବିନାଶ ଯେମିତି ଗ୍ରହଣୀୟ ନୁହଁ , ଠିକ ସେମିତି ଅସ୍ମିତା ନାମରେ ନିଜର ଅସ୍ଥିତ୍ୱ ହରାଇଲା ଭଳି ପଦକ୍ଷେପ ଆଦୌ ସ୍ପୃହଣୀୟ ନୁହଁ । ବିଶିଷ୍ଟ ପରିବେଶବିତ ପ୍ରଫୁଲ ସାମନ୍ତରାୟ ଓଡ଼ିଶାର ସମସ୍ତ ନଦୀ ଆନ୍ଦୋଳନ ଗୁଡିକୁ ସଂଯୋଜିତ କରି ଏକ ବ୍ୟାପକ ଜନ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ ।
ବିଶିଷ୍ଟ ପ୍ରଶାସକ ଓ ଲେଖକ ସଂଜୀବ ହୋତା ତାଙ୍କ ବକ୍ତବ୍ୟରେ ଓଡ଼ିଶାର ବିଦ୍ଭିନ୍ନ ନଦୀ ଗୁଡିକରେ ସ୍ୱାସ୍ଥ୍ୟ ଅବସ୍ଥାର ଅବନତିର କାରଣ ଗୁଡିକ ବର୍ଣନା କରିବା ସହିତ ସେସବୁର ନିରାକରଣ କରି ନଦୀର ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ଆହ୍ୱାନ ଦେଇଥିଲେ ।
ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ ଓଡ଼ିଶାରେ ନଦୀ ଆନ୍ଦୋଳନର ଆବଶ୍ୟକତା ଉପରେ ଗୁରୁତ୍ୱଦେଇ ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ କହିଥିଲେ ଯେ ନଦୀର ସମ୍ବଳ ଉପରେ ଅଧିକାର ମାଗିବା ପାଇଁ ସମସ୍ତେ ତତ୍ପର । ମାତ୍ର ବର୍ତ୍ତମାନ ପାଣି ଓ ଜମି ଉପରେ ନଦୀର ଅଧିକାର ସାବ୍ୟସ୍ତ କରିବାର ସମସ୍ତ ଉପନୀତ ଏବଂ ନଦୀ ଆନ୍ଦୋଳନର କର୍ମୀମାନେ ଏଥିପ୍ରତି ଧ୍ୟାନ ଦେବା ପାଇଁ ସେ ନିବେଦନ କରିଥିଲେ ।
ଦୟା ନଦୀର ପୁନରୁଦ୍ଧର ସହିତ ବିଲାତି ଦଳ ସ୍ଲରି ପାଇପ ଲାଇନ ରେ ବୈତରଣୀ ପାଣିକୁ ବ୍ୟବହାର କରି ଲୁହା ଗୁଣ୍ଡ ପରିବହନକୁ ନିଷିଦ୍ଧ କରିବା, ଶିଳ୍ପ ସଂସ୍ଥା ଓ ସହରର ଆବର୍ଜନ ଇତ୍ୟାଦିକୁ ନଦୀକୁ ସିଧା ସଳଖ ଭାବରେ ନପକାଇବା, ନଦୀର ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ଶିଳ୍ପ ସଂସ୍ଥା ମାନଙ୍କୁ ଦାୟିତ୍ୱ ଦେବା , ନଦୀ ସଂକ୍ରାନ୍ତରେ ଶ୍ୱେତପତ୍ର ଓ ନଦୀ ନୀତି ପ୍ରସାୟନ କରିବା, ସୁଲ କଲେଜ ଗୁଡିକରେ ନଦୀ ସୁରକ୍ଷା ପାଇଁ ବ୍ୟାପକ ସଚେତନତା ସୃଷ୍ଟି, ଗଙ୍ଗୁଆ, ସାଳନ୍ଦୀ ଇତ୍ୟାଦି ନଦୀର ପୁନରୁଦ୍ଧାର ଇତ୍ୟାଦି ପ୍ରସ୍ତାବ ଗୁଡିକ ସମ୍ମିଳନୀରେ ପାରିତ ହୋଇଥିଲା।
ଦାୟାସୁରକ୍ଷା ଅଭିଯାନର ଆବାହକ ଶ୍ରୀ ସଚ୍ଚିକାନ୍ତ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ଜଳ ପୁରୁଷ ଡ଼ଃ ରାଜେନ୍ଦ୍ର ସିଂ ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସଙ୍କୁ ନଦୀ ପ୍ରଭାରୀ ସମ୍ମାନରେ ସମ୍ମାନିତ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା