ଶିକ୍ଷାବିତ୍ ପ୍ରଫେସର ପ୍ରଫୁଲ୍ଲ ମହାପାତ୍ରଙ୍କ ପରଲୋକ
ପୁରୀ, ୧୩ ଜୁନ୍ (ହି.ସ.) - ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ର ପୂର୍ବତନ ସଭାପତି ଓ ଏସ୍‌?ସିଆରଟିର ପୂର୍ବତନ ନିର୍ଦ୍ଦେଶକ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡଃ. ପ୍ରଫୁଲ ଚନ୍ଦ୍ର ହାପାତ୍ରଙ୍କ ପରଲୋକ ହୋଇଯାଇଛି। ଡଃ ମହାପାତ୍ର ୮୪ ବର୍ଷ ବୟସରେ ଭୁବନେଶ୍ୱର ଆଇଆରସି ଭିଲେଜ ସ୍ଥିତ ବାସଭବନରେ ଇହଲୀଳା ସମ୍ବ
ଶିକ୍ଷାବିତ୍ ପ୍ରଫେସର ପ୍ରଫୁଲ୍ଲ ମହାପାତ୍ରଙ୍କ ପରଲୋକ


ପୁରୀ, ୧୩ ଜୁନ୍ (ହି.ସ.) - ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ର ପୂର୍ବତନ ସଭାପତି ଓ ଏସ୍‌?ସିଆରଟିର ପୂର୍ବତନ ନିର୍ଦ୍ଦେଶକ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡଃ. ପ୍ରଫୁଲ ଚନ୍ଦ୍ର ହାପାତ୍ରଙ୍କ ପରଲୋକ ହୋଇଯାଇଛି। ଡଃ ମହାପାତ୍ର ୮୪ ବର୍ଷ ବୟସରେ ଭୁବନେଶ୍ୱର ଆଇଆରସି ଭିଲେଜ ସ୍ଥିତ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି । ଅଧ୍ୟାପକରୁ ଚାକିରି ଜୀବନ ଆରମ୍ଭ କରିଥିବା ଡଃ ମହାପାତ୍ର ବିଭିନ୍ନ ସମୟରେ କଟକ ସ୍ଥିତ ଆରଏନଆଇ ଏଏସଇ (ଆରଏନଟି) ଟ୍ରେନିଂ କଲେଜ ଓ ଏସସିଆରଟି ରେ ପ୍ରଫେସର, କେନ୍ଦ୍ରସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟରେ ଏନଏସଏସର ଉପ କାର୍ଯ୍ୟକ୍ରମ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ । ଓଡ଼ିଶାରେ ସମସ୍ତଙ୍କ ପାଇଁ ଶିକ୍ଷା ସେଲ୍‌ର ସଦସ୍ୟ ସଚିବ ଥିଲେ । ପଂଚମ ସର୍ବଭାରତୀୟ ଶିକ୍ଷା ସର୍ଭେରେ ରାଜ୍ୟ ସର୍ଭେ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ର ସଭାପତି ଓ ଏସିଆରଟିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଏହା ଛଡ଼ା ସେ ଭାରତ ସରକାରଙ୍କ ମାନବ ସମ୍ବଳ ମନ୍ତ୍ରାଣାଳୟ ଦ୍ୱାରା ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଭୂମିକା ନେଇ ଗଠିତ ଟାସ୍କ ଫୋର୍ସର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ସେ ୧୯୯୯ ମସିହାରେ ଚାକିରୀରୁ ଅବସର ନେଇଥିଲେ। ଅବସର ପରେ ଡଃ ମହାପାତ୍ର ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଗଠିତ ଭିଜନ୍ ୨୦୨୦ ଟାସ୍କ ଫୋର୍ସର ସଦସ୍ୟ, ଭାରତ ସରକାରଙ୍କ ସ୍ୱାକ୍ଷରତା ମିଶନର କୋର ଗ୍ରୁପ୍ ସଦସ୍ୟ, ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅନୁସୂଚିତ ଜନଜାତି ଶିକ୍ଷା ସମିତି (ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ)ର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ର ପରୀକ୍ଷା ସଂସ୍କାର କମିଟିର ଅଧ୍ୟକ୍ଷ, ଜାତୀୟ ପାଠ୍ୟକ୍ରମ ଫ୍ରେମ୍ ୱାର୍କର ସଦସ୍ୟ, ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନସିଟିଇ)ର ପୂର୍ବାଂଚଳ ଅଧ୍ୟକ୍ଷ ଓ ଓଡ଼ିଶା ଶିକ୍ଷା ବିକାଶ ସମିତିର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଏନସିଆରଟି ଦ୍ୱାରା ପ୍ରକାଶିତ ଓଡ଼ିଶାର ପଂଚମ ଶିକ୍ଷା ସର୍ଭେ, ଓଡ଼ିଶାର ଶିକ୍ଷା ପ୍ରସାଶନିକ ସର୍ଭେ,ଭାରତରେ ଶିକ୍ଷକ ଶିକ୍ଷା, ସମସ୍ତଙ୍କ ପାଇଁ ଶିକ୍ଷା ଆଦି ପୁସ୍ତକ ଲେଖୁବା ସହ ତାଙ୍କ ଦ୍ୱାରା ଲିଖିତ ୪୭ଟି ଗବେଷଣାତ୍ମକ ସନ୍ଦର୍ଭ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଜର୍ଣାଲ୍‌ରେ ପ୍ରକାଶିତ ହୋଇଥିଲା । ଏହା ବ୍ୟତିତ ସେ ରୋଟାରୀ କ୍ଲବର ସଦସ୍ୟ ଓ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ (ଗୋପବନ୍ଧୁ ଖଦୀ ସୋସାଇଟି)ର ସଭାପତି ରହିଥିଲେ। ଡଃ ମହାପାତ୍ର ଜଣେ ସୁନାମଧନ୍ୟ ଶିକ୍ଷାବିତ ଓ ପ୍ରଶାସକ ଭାବେ ସୁନାମ ଅର୍ଜନ କରିଥିଲେ । ସେ ଜଣେ ଅତ୍ୟନ୍ତ ମେଳପି, ସରଳ ଓ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ପୁରୀ ଭୁବନେଶ୍ୱର ଓ କଟକରେ ଶିକ୍ଷାବିତ ଓ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ପୁରୀର ଜଣାଶୁଣା ସାମ୍ବାଦିକ ସ୍ୱର୍ଗତ ପ୍ରଶାନ୍ତ ମହାପାତ୍ରଙ୍କ ବଡଭାଇ ଅଟନ୍ତି । ସେ ମଧ୍ୟ ପୁରୀର ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ବଡ ଭିଣୋଇ ଅଟନ୍ତି ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande