ଗୌହାଟି, ୨୦ ଜୁନ୍ (ହି.ସ.)- ଆସାମର ଶିବସାଗର ଜିଲ୍ଲାରେ ତେଲ ଏବଂ ପ୍ରାକୃତିକ ଗ୍ୟାସ୍ ନିଗମ (ଓଏନଜିସି)ର ଅଶୋଧିତ ତୈଳ କୂଅରୁ ଲଗାତାର ସପ୍ତମ ଦିନ ମଧ୍ୟ ଗ୍ୟାସ୍ ଲିକ୍ ଜାରି ରହିଛି । କିନ୍ତୁ, ଗ୍ୟାସ୍ ଲିକ୍ ରୋକିବା ଦିଗରେ ପଦକ୍ଷେପ ନେଉଛି ଓଏନଜିସି । ଗ୍ରାଉଣ୍ଡ ୱାର୍କ ର ପ୍ରାୟ ୫୦ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । କେନ୍ଦ୍ର ସରକାର ଓ ଆସାମ ସରକାର ଲଗାତାର ସ୍ଥିତି ଉପରେ ନଜର ରଖିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ଡଃ. ହିମନ୍ତ ବିଶ୍ୱ ଶର୍ମା ଶୁକ୍ରବାର ଦିସପୁର ସ୍ଥିତ ଲୋକସେବା ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଡଃ. ହିମନ୍ତ ବିଶ୍ୱ ଶର୍ମା ଦିସପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ଓଏନଜିସି ପୂର୍ବରୁ ଆପଣେଇଥିବା ପଦ୍ଧତିକୁ ଛାଡି ଏବେ ଜୁନ୍ ୧୩ ରୁ ଆରମ୍ଭ ହୋଇଥିବା ଗ୍ୟାସ୍ ଲିକ୍ କୁ ରୋକିବା ନିମନ୍ତେ ଅଧିକ ବ୍ୟବହାରିକ ଓ ସୁରକ୍ଷିତ ରଣନୀତିକୁ ଲାଗୁ କରୁଛି । ସାଇଟ୍ ର ପ୍ରସ୍ତୁତି ଏବଂ ଉପକରଣ ଗୁଡିକ ନିୟୋଜିତ ସହିତ ପ୍ରାୟ ୫୦ ପ୍ରତିଶତ ପ୍ରାରମ୍ଭିକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ସଂଯୁକ୍ତ ରାଜ୍ୟ ଆମେରିକାରୁ ଆନ୍ତର୍ଜାତିକ ବିଶେଷଜ୍ଞ ଆଜି ସଂନ୍ଧ୍ୟାରେ ଶିବସାଗର ଜିଲ୍ଲାରେ ଓଏନଜିସି ର ଆରଡିଏସ ୧୪୭ଏ କୂଅରେ ଅନିୟନ୍ତ୍ରିତ ପ୍ରାକୃତିକ ଗ୍ୟାସ୍ ଲିକ୍ ସ୍ଥଳରେ ପହଂଚିବା ନେଇ ଆଶା କରାଯାଉଛି, ଯାହାକି ସପ୍ତାହ ବ୍ୟାପୀ ଚାଲିଥିବା ବିସ୍ଫୋଟକୁ ରୋକିବା ନେଇ ପ୍ରୟାସରେ ଏକ ମହତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅଟେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ