ଜୟପୁର, 25 ଜୁନ୍ (ହି.ସ.)ଏମ.ଏସ. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, ଜୟପୁର ଦ୍ୱାରା ସମନ୍ୱିତ କୃଷି ପ୍ରଣାଳୀ ପ୍ରକଳ୍ପ ଅଧୀନରେ ଉତ୍ତମ ଫସଲ ଉତ୍ପାଦନ ଜ୍ଞାନ କୌଶଳ ଉପରେ ୬ ଗୋଟି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକ ଏବଂ ନବରଙ୍ଗପୁର ଜିଲ୍ଲାର କୋଷଗୁମୁଡା ବ୍ଲକର ବିଭିନ୍ନ ଗ୍ରାମରୁ ୨୦୦ ରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଏମ୍.ଏସ୍. ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନ, ଜୟପୁରର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପରିଡା, ଏହି ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇଥିଲେ। ପ୍ରଶିକ୍ଷଣ ପୂର୍ବରୁ ଅଂଶଗ୍ରହଣକାରୀ କୃଷକଙ୍କର ବର୍ତ୍ତମାନ ପ୍ରକ୍ରିୟା ଓ ଜ୍ଞାନ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା।
ଶ୍ରୀ ଏସ. ଭେଙ୍କଟ ରେଡି, ପୂର୍ବତନ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ଚାଷୀମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ ଫସଲ ଯଥା: ଧାନ, ମକା, କାନ୍ଦୁଲ ଏବଂ ମାଣ୍ଡିଆ ଚାଷ କରିବା ଉପରେ ତାଲିମ ପ୍ରଦାନ କରିଥିଲେ। ସେ କୃଷିକୁ ଏକ ବ୍ୟବସାୟ ଭାବରେ ଦେଖିବା ଉପରେ ଜୋର ଦେଇ କିଛି ସଫଳତା ଉଦାହରଣ ବି ଦେଇଥିଲେ। ବିଭିନ୍ନ ପ୍ରକାର ବିହନ ଚୟନ, ମାଟି ପରୀକ୍ଷା, ନର୍ସରୀ ବେଡ୍ ପ୍ରସ୍ତୁତି, ରୋପଣର SRI ପଦ୍ଧତି, ଘାସ ନିୟନ୍ତ୍ରଣ, ସନ୍ତୁଳିତ ସାର ପ୍ରୟୋଗ। ଶେଷରେ ତାଲିମ ପରବର୍ତ୍ତୀ ମୂଲ୍ୟାଙ୍କନ କରାଯାଇଥିଲା। ତାପରେ ଚାଷୀମାନେ ମତାମତ ବାଣ୍ଟିଥିଲେ ଏବଂ ସେମାନଙ୍କ କ୍ଷେତ୍ରରେ ଏହି ପଦ୍ଧତିଗୁଡ଼ିକୁ ପ୍ରୟୋଗ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଶେଷରେ ପ୍ରତିଷ୍ଠାନର କର୍ମଚାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି