ଜୟପୁର, ୨୭ ଜୁନ୍ (ହି.ସ.)- ଜୟପୁର ରଥଯାତ୍ରାରେ ଆଜି ତିନି ଠାକୁରଙ୍କ ପହଣ୍ଡି କରାଯାଇଛି । ତିନି ଠାକୁର ରଥାରୁଢ ହୋଇଛନ୍ତି । ରୀତିନୀତି ଅନୁଯାୟୀ ଶନିବାର ହେବ ରଥ ଟଣା । ତିନି ଠାକୁରଙ୍କୁ ମନ୍ଦିରରୁ ବାହିର କରାଯାଇ ପ୍ରଥମେ ବ୍ରହ୍ମା ସାହି, ଢେରା ସାହି, ସାମନ୍ତରା ସାହି, ଲାଲ ସାହି, ଶେଷରେ ସୁନାରି ସାହିରେ ପହଣ୍ଡି କରାଯାଇଥିଲା । ବଡ ଭାଇ ବଳଭଦ୍ର ଓ ମାତା ସୁଭଦ୍ରାଙ୍କୁ ସୁନାରି ସାହିର ସେବାୟତ ମାନେ ପହଣ୍ଡି କରାଇଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କୁ ସାମନ୍ତରାୟ ସାହିର ସେବାୟତ ଓ ପତିତପାବନଙ୍କୁ ବ୍ରହ୍ମା ସାହିର ସେବାୟତ ମାନେ ପହଣ୍ଡି ବିଜେ କରାଇଥିଲେ । ଘଣ୍ଟ, ସଂକିର୍ତନ, ବାଜାରେ ପ୍ରଭୁ ମାନଙ୍କୁ ପହଣ୍ଡି କରାଇ ରଜାନହର ସ୍ଥିତ ନବ ନିର୍ମିତ ରଥ ନିକଟକୁ ନିଆଯାଇଥିଲା । ସେଠାରେ ଠାକୁରଙ୍କୁ ୪ ଥର ରଥ ପରିକ୍ରମା କରାଯାଇ ରଥାରୁଢ କରାଯାଇଥିଲା । ରଥ ଉପରକୁ ଚଢିବା ପାଇଁ ପଟା ପକାଯିବା ପରେ ଭକ୍ତ ମାନେ ରଥ ଉପରେ ଚଢି ପ୍ରଭୁଙ୍କୁ ଦର୍ଶନ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଟାଉନ ପୋଲିସ ତରଫରୁ ପୋଲିସ ମୁତୟନ କରାଯାଇଥିଲା । ଶହ ଶହ ଜଗନ୍ନାଥ ପ୍ରେମି ହାତର ନଡିଆ କଦଳି ଧରି ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଲମ୍ବା ଲାଇନରେ ଠିଆ ହୋଇଥିଲେ । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇଥିବା ବେଳେ ଶାନ୍ତି ଶୃଙ୍ଖଳାରେ ରଥ ଟଣା ସମାପନ ହୋଇଥିଲା । ପହଣ୍ଡି ସମୟରେ ଏସଡିପିଓ ପାର୍ଥ କଶ୍ୟପ, ଜୟପୁର ତହସିଲଦାର ଚିତ୍ତ ରଞ୍ଜନ ପଟ୍ଟନାୟକ, ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ, ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ଉପସ୍ଥିତ ଥିଲେ ।
ସେହିପରି ଜୟପୁର ପୁରୁଣାଗଡ, ଜୟପୁର ନିକଟସ୍ଥ ବାରିଣିପୁଟ, ଆମ୍ବାଗୁଡା, ବାଟ ଜଗନ୍ନାଥ ପୁର ଠାରେ ମଧ୍ୟ ଶାନ୍ତି ଶୃଙ୍ଖଳାରେ ରଥ ଯାତ୍ରା ପାଳନ କରାଯାଇଛି । ଜୟପୁର ପୁରୁଣାଗଡରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ୩ ଠାକୁରୁଙ୍କୁ ପହଣ୍ଡି କରାଯାଇ ରଥାରୁଢ କରାଯାଇଥିଲା । ରଥାରୁଢ କରିବା ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା । ନିଳକଣ୍ଠେଶ୍ୱର ମନ୍ଦିର ଠାରୁ କାଳିକା ମନ୍ଦିର ଯାଏ ରଥ ଟଣା ଯାଇଥିଲା। ଦେବୋତ୍ତର ବିଭାଗ ତରଫରୁ ସବୁ ବ୍ୟବସ୍ଥା କରାଯାଇଥିଲା । ମହିଳା ଓ ପୁରୁଷ ମାନେ ରଥ ଟାଣି ଥିଲେ । ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି