ଧର୍ମଶାଳା, ୨୭ ଜୁନ୍ (ହି.ସ.)– ଏବେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରୀୟ ରହିଛି । ଫଳରେ ମଝିରେ ମଝିରେ ବର୍ଷା ଲାଗି ରହୁଛି । ଏହି ବର୍ଷା ହେବା ଫଳରେ ଜନସାଧାରଣ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ଥି ମିଳିଛି । ଅନ୍ୟପକ୍ଷରେ ଏହି ବର୍ଷା ହେବା ଫଳରେ ଗ୍ରାମାଚଂଳର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି । ରାସ୍ତାରେ ଯାତାୟତ କରୁଥିବା ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ଏଭଳି ସମସ୍ୟା ସବୁ ଦିନ ଲାଗି ରହୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଂଚଳରେ ।
ଋସୁଲପୁର ବ୍ଲକ ଅବିଭକ୍ତ ବ୍ରହ୍ମବରଦା ଏକ ଜନବହୁଳ ଅଂଚଳଭାବେ ଜିଲାରେ ବେଶ୍ ପରିଚିତ । ବ୍ରହ୍ମବରଦା ଓ ମହେଶ୍ୱରପୁର ପଂଚାୟତର ୨୦ ହଜାରୁ ଉର୍ଦ୍ଧ ଜନସାଧାରଣଙ୍କୁ ନେଇ ଏହି ଅଂଚଳରେ ବହୁ ସ୍ଥାନରେ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନମାନ ଗଢି ଉଠିଛି । ଏହା ସହିତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଚିକିତ୍ସାଳୟ ଓ ରାଷ୍ଟ୍ରାୟତ ବ୍ୟାଙ୍କ ରହିଛି । ପ୍ରତିଦିନ ଏହି ଅଂଚଳକୁ ଧର୍ମଶାଳା ବ୍ଲକ ସମେତ ବଡଚଣା, ଯାଜପୁର ଓ ବରୀ ବ୍ଲକର ଅନେକ ପଂଚାୟତ ଏହା ଉପରେ ନିର୍ଭର କରିଥାନ୍ତି । ଏବଂ ଏହି ଅଂଚଳ ୨ଟି ମୁଖ୍ୟ ରାଜପଥକୁ ସଂଯୋଗ କରୁଛି । ବରୁହାଁ-କୃଷ୍ଣଦାସପୁର ଓ ବ୍ରହ୍ମବରଦା-ଜାରକା ୧୬ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଛି । ସଦର ମହକୁମାକୁ ଯିବା ପାଇଁ ଏହା ଏକ ମୁଖ୍ୟ ରାସ୍ତା ହୋଇଛି । ତେବେ ସମାନ୍ୟ ବର୍ଷା ହେବା ଫଳରେ ଏହି ମୁଖ୍ୟ ରାସ୍ତାରେ ବର୍ଷା ଜଳ ଦୀର୍ଘ ଦିନ ଧରି ଜମି ରହୁଛି । ରାସ୍ତାରେ ଦେଇ ଯାତାୟତ କରୁଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷେ ରାସ୍ତାରେ କଡରେ ଥିବା ବ୍ୟବସାୟୀ ଓ ଘର ବସବାସ କରୁଥିବା ଜନସାରଣମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ଦିନ ଧରି ବର୍ଷା ଜଳ ଜମିବା ଫଳରେ ପାଣିରେ ବିଭିନ୍ନ ପ୍ରକାରର ପୋକ ରହୁଥିବା ବେଳେ ପାଣିରୁ ବାହାରୁ ଥିବା ଦୃଗଦ୍ଧରେ ନାକ ଦେବା ସମ୍ଭବ ହେଉ ନାହିଁ । ଗଲା କିଛଇ ଦିନ ହେବ ଜିଲାରେ ଡାଇରିଆର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ଏହି ସ୍ଥାନମାନଙ୍କରେ ଡାଇରିଆ ରୋଗୀଙ୍କ ସଂଖ୍ୟା କମିବା ପରିବର୍ତେ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଏନେଇ ବାରମ୍ବାର ବ୍ଲକ ପ୍ରଶାସନ ନିକଟରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଏହି ସ୍ଥାନରେ ଡ୍ରେନେଜ୍ ହେବା ଆବଶ୍ୟକ ରହିଛି ।ଯେଉଁ ସ୍ଥାନରେ ଡେନେଜ୍ର ଆବଶ୍ୟକ ନାହିଁ ସେହି ସ୍ଥାନମାନଙ୍କରେ ଡ୍ରେନେଜ୍ ହେବାରୁ ଅଂଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବଂ ଯେଉଁ ସ୍ଥାନରେ ଡେନେଜ୍ର ସୁବିଧା ଅଛି ତାହା ବର୍ତମାନ ଅବରୋଧ ହୋଇପଡିଛି । ତାହାକୁ ତୁରନ୍ତ ମରାମତି କରିବାର ଆବଶ୍ୟକତା ହୋଇପଡିଛି । ତୁରନ୍ତ ଜିଲା ପ୍ରଶାସନ ଏହି ଅଂଚଳପ୍ରତି ସ୍ୱତନ୍ତ୍ରଭାବେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ