ପୁରୀ, ୨୮ ଜୁନ୍ (ହି.ସ.)- ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଦ୍ଵିତୀୟ ଦିନରେ ମଧ୍ୟାହ୍ନ ସୁଦ୍ଧା ଶରଧାବାଲିରେ ପହଂଚିଛି ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମେଡିକାଲ ଛକରେ ପହଂଚିଥିବା ବେଳେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାର୍କେଟ ଛକ ଅତିକ୍ରମ କରିଛି ।
ଗତକାଲି ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ବଳଗଣ୍ଡି ମାଜଣା ଜାଗା ନିକଟରେ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଉନ୍ ଥାନା ନିକଟରେ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ରଥଖଳା ନିକଟରେ ଅଟକି ରହିଥିଲା । ଆଜି ସକାଳେ ରଥ ଉପରେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଓ ଅବକାଶ ନୀତି ପରେ ରଥଟଣା ଆରମ୍ଭ ହୋଇଥିଲା । ଗତକାଲି ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ନିକଟରେ ଲାଗି ନଥିବାରୁ ହଜାର ହଜାର ଭକ୍ତ ରଥ ଲାଗିବା ପରେ ଘରକୁ ଫେରିବେ ନିଷ୍ପତି ନେଇ ଅଟକି ରହିଥିଲେ । ଆଜି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ଅନେକ ଭକ୍ତ ଘରକୁ ଫେରିଛନ୍ତି । ରଥ ପହଂଚିବାରେ ବିଳମ୍ବକୁ ନେଇ ପ୍ରଶାସନ ଆଜି ତତ୍ପର ହୋଇଉଠିଛି । ପୋଲିସ ସୁରକ୍ଷା ମଧ୍ୟରେ ରଥଟଣା କାର୍ଯ୍ୟ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ