ସମ୍ବଲପୁର, ୩୦ ଜୁନ୍ (ହି.ସ.) - ୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱ ସମ୍ବଲପୁର ପ୍ରେସ୍ କ୍ଲବ ପରିସରରେ ନବ ନିର୍ମିତ ଶ୍ରୀ ସିଦ୍ଧି ବିନାୟକ ମନ୍ଦିରର ରତ୍ନମୁଦ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ପୂଜା, ହୋମ, ଯଜ୍ଞ ସଂପନ୍ନ ହେବା ପରେ ରତ୍ନମୁଦ କରାଯାଇଥିଲା। ଶ୍ରଦ୍ଧାଳୁମାନେ ଚଢ଼ାଇଥିବା ସ୍ୱର୍ଣ୍ଣ, ରୌପ୍ୟ, ଅଷ୍ଟଧାତୁ, ମୁଦ୍ରା, ଧାନ, ଅନ୍ୟ ଶସ୍ୟ ଆଦି ରେ ମନ୍ଦିର ଚୂଡ଼ାକୁ ମୁଦ ଲାଗି କରାଯାଇଥିଲା। ନାମ ସଂକୀର୍ତନ, ହରିବୋଲ, ହୁଳହୁଳି ମଧ୍ୟରେ ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର ଶର୍ମା, ପଣ୍ଡିତ ଶତାର୍ଷି ମିଶ୍ର, ପଣ୍ଡିତ ସିଦ୍ଧାର୍ଥ ଦାସ, ସ୍ୱାମୀ ସତ୍ୟ ଧର୍ମାନନ୍ଦ ସରସ୍ୱତୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।
କ୍ଲବ୍ ସଭାପତି ତ୍ରିବିକ୍ରମ ପ୍ରଧାନ ଏବଂ ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ସଭାପତି ହେମନ୍ତ କୁମାର ମହାପାତ୍ର ଏବଂ ଅର୍ଜୁନ ରଞ୍ଜନ ପଣ୍ଡାଙ୍କ ସମେତ କ୍ଲବ୍ର ସଦସ୍ୟସଦସ୍ୟା, ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ। ଜ୍ଞାନ ରଞ୍ଜନ ମିଶ୍ର ଏବଂ ଭାବନା ତ୍ରିପାଠୀ କର୍ତା ଦାୟିତ୍ୱ ନିର୍ବାହ ଥିଲେ। ସୀତାରାମ ଅଗ୍ରୱାଲ, ଆଡ୍େଭାକେଟ୍ ଦୀନ ଦୟାଲ ଅଗ୍ରୱାଲ, ଇଂ. ସୁଶାନ୍ତ କୁମାର ଗୁରୁ, ପ୍ର. ସେବକ ତ୍ରିପାଠୀ, ଡ. ଶ୍ୟାମ ସୁନ୍ଦର ଧର,, ସୁବ୍ରତ ସାହୁ ପ୍ରମୁଖ ସହରର ବହୁ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସ୍ଥାନୀୟ ଅଂଚଳର ବହୁ ଶ୍ରଦ୍ଧାଳୁ ସପରିବାର ଉପସ୍ଥିତ ଥିଲେ। ଶ୍ରୀ ସିଦ୍ଧି ବିନାୟକଙ୍କ ସପ୍ତାହବ୍ୟାପୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁସାରେ ଆଜି ସଂଧ୍ୟାରେ ଅଙ୍କୁରାରୋପଣ ସମ୍ପନ୍ନ ହୋଇଛି। ମଙ୍ଗଳବାର ଅଧିବାସ ପରେ ୨ ତାରିଖ ବୁଧବାର କଳସ ଶୋଭାଯାତ୍ରା ସହ ମୁଖ୍ୟ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇ ୪ ତାରିଖ ପୂର୍ଣ୍ଣାହୁତି ହେବ। ପୂର୍ବରୁ ଏହି ଅନୁଷ୍ଠାନ ପାଇଁ ଅଧିଷ୍ଠାତ୍ରୀ ସମଲାଇ ଙ୍କ ମନ୍ଦିରରୁ ଆଜ୍ଞା ମାଳ ଅଣାଯାଇଥିଲା। ଆସନ୍ତା ୨ ତାରିଖ ଠାରୁ ୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ଶ୍ରୀମଦ ଭାଗବତ ପ୍ରବଚନ ଆୟୋଜନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ