ଶ୍ରୀ ଗୁଣ୍ଡିଚା ର ଚତୁର୍ଥ ଦିନରେ ଚକଡା ଲାଗିଲା ବ୍ରହ୍ମ ତାଳଧ୍ୱଜ
କେନ୍ଦ୍ରାପଡା- 30 ଜୁନ୍ (ହି.ସ.) ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ସର୍ବବୃହତ୍ ବ୍ରହ୍ମତାଳଧ୍ୱଜ ରଥ ଶ୍ରୀ ଗୁଣ୍ଡିଚାର ଚତୁର୍ଥ ଦିନରେ ବହୁ ବାଧାବିଘ୍ନ ମଧ୍ୟରେ ଚକଡା ଲାଗିଥିବା ଜଣାପଡିଛି । ଗତକାଲି ବାମ ମୋଡ ନେଇ ନୂଆ ଚନ୍ଦନ ପେଖରୀ ନିକଟରେ ଅଟକି ରହିବା ପରେ ରଥଟଣା ବନ୍ଦ ରହିଥିଲା । ରାତିସ
ଶ୍ରୀ ଗୁଣ୍ଡିଚା ର ଚତୁର୍ଥ ଦିନରେ ଚକଡା ଲାଗିଲା ବ୍ରହ୍ମ ତାଳଧ୍ୱଜ


କେନ୍ଦ୍ରାପଡା- 30 ଜୁନ୍ (ହି.ସ.) ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ସର୍ବବୃହତ୍ ବ୍ରହ୍ମତାଳଧ୍ୱଜ ରଥ ଶ୍ରୀ ଗୁଣ୍ଡିଚାର ଚତୁର୍ଥ ଦିନରେ ବହୁ ବାଧାବିଘ୍ନ ମଧ୍ୟରେ ଚକଡା ଲାଗିଥିବା ଜଣାପଡିଛି । ଗତକାଲି ବାମ ମୋଡ ନେଇ ନୂଆ ଚନ୍ଦନ ପେଖରୀ ନିକଟରେ ଅଟକି ରହିବା ପରେ ରଥଟଣା ବନ୍ଦ ରହିଥିଲା । ରାତିସୁଦ୍ଧା ରଥକୁ ରେଲୱେ ଜାକ୍ ଲଗାଯାଇ ସଳଖ କରାଯିବା ସହ ମାଉସୀ ମା ମନ୍ଦିର ଆଡକୁ ରଥ ମୁହଁକୁ ରଖା ଯାଇଥିଲା । ଆଜି ଦିନ ୧୨ଟା ବେଳେ ରଥଟଣା ଆରମ୍ଭ ହୋଇ କିଛିବାଟ ଯିବାପରେ ରଥ ପୁଣି ଡାହାଣ ମୋଡ ନେଇ ରଥଦାଣ୍ଡ କଡକୁ ଚାଲି ଯାଇଥିଲା । ପୁନର୍ବାର ରେଲୱେ କର୍ମଚାରୀଙ୍କ ଦ୍ୱାରା ରଥକୁ ସଳଖ କରାଯାଇ ଟଣାଯିବା ସହ ରଥ ମାଉସୀ ମା ମନ୍ଦିର ଚକଡାରେ ଲାଗିଥିବା ଜଣାପଡିଛି । ଆଜି ରାତିସୁଦ୍ଧା ଦିଅଁ ମାନଙ୍କୁ ପହଣ୍ଡି ବିଜେ କରାଯାଇ ଆଡପ ମଣ୍ଡପରେ ଉପବେଶନ କରାଯିବ । ଏହା ସହ ମହାସ୍ନାନ ଓ ଅନ୍ୟାନ୍ୟ ନୀତି ପାଳନ ପୂର୍ବକ ରୋଷ ଘର ସିଦ୍ଧ କରାଯାଇ ଅନ୍ନ ପ୍ରସାଦ ଲାଗୁ କରାଯିବ । ଦୀର୍ଘ ୪ ଦିନ ହେଲା ଦିଅଁମାନଙ୍କ ଠାରେ ଅନ୍ନ ପ୍ରସାଦ ଲାଗୁ କରାଯାଇ ନାହିଁ । କେବଳ ଚୁଡା ଓ ଉଖୁଡା ଭୋଗରେ ବଡଠାକୁର ଶ୍ରୀ ବଳଦେବଜୀଉ, ପ୍ରଭୁ ଜଗନ୍ନାଥ ଓ ଭଉଣୀ ସୁଭଦ୍ରା ରଥ ଉପରେ ବସି ରହିଛନ୍ତି । ତେବେ ରିପୋର୍ଟ ଲେଖା ହେବାବେଳକୁ ପହଣ୍ଡି ପାଇଁ ସମସ୍ତ ପ୍ରକାର ଆୟୋଜନ ଚାଲିଥିବା ଜଣାପଡିଛି । ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବାରିକେଟ କରାଯାଇ ପହଣ୍ଡି ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କୁ ନିୟନ୍ତ୍ରଣ କରାଯିବା ବେଳେ ବାରମ୍ବାର ବାଧାବିଘ୍ନ ମଧ୍ୟରେ ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ଯାତ୍ରା ସମାପ୍ତ ହୋଇଥିବାରୁ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande