• ସବୁ କ୍ଷେତ୍ରରେ ଚାକିରି ସୃଷ୍ଟି, ନିଯୁକ୍ତି ଯୋଗ୍ୟତା ଓ ସାମାଜିକ ସୁରକ୍ଷା ବଢ଼ାଇବ ଏହି ଯୋଜନା
ନୂଆଦିଲ୍ଲୀ, 01 ଜୁଲାଇ (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ (ଇଏଲଆଇ) ଯୋଜନାକୁ ଅନୁମୋଦନ କରିଛି । ଏହି ଯୋଜନାରେ ଉତ୍ପାଦନ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ସବୁ କ୍ଷେତ୍ରରେ ଚାକିରି ସୃଷ୍ଟି, ନିଯୁକ୍ତି ଯୋଗ୍ୟତା ଏବଂ ସାମାଜିକ ସୁରକ୍ଷା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଇଏଲଆଇ ଯୋଜନା ଅଧୀନରେ, ପ୍ରଥମ ଥର କାମକରୁଥିବା ପାଇଁ କର୍ମଚାରୀମାନେ ଗୋଟିଏ ମାସର ଦରମା (୧୫,୦୦୦ ଟଙ୍କା ପର୍ଯ୍ୟନ୍ତ) ପାଇବେ। ନିଯୁକ୍ତିଦାତାମାନଙ୍କୁ ଦୁଇ ବର୍ଷ ଲାଗି ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବା ପାଇଁ ପ୍ରୋତ୍ସାହନ ଦିଆଯିବ। ଉତ୍ପାଦନ କ୍ଷେତ୍ର ପାଇଁ ଲାଭକୁ ଦୁଇ ବର୍ଷ ପାଇଁ ବୃଦ୍ଧି କରାଯିବ। ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ସହିତ ୨୦୨୪-୨୫ କେନ୍ଦ୍ର ବଜେଟରେ ପ୍ରଧାନମନ୍ତ୍ରୀଙ୍କ ପାଞ୍ଚଟି ଯୋଜନାର ପ୍ୟାକେଜର ଅଂଶ ଭାବରେ ଇଏଲଆଇ ଯୋଜନା ଘୋଷଣା କରାଯାଇଥିଲା।
୯୯,୪୪୬ କୋଟି ଟଙ୍କାର ବ୍ୟୟବରାଦ ସହିତ ଇଏଲଆଇ ଯୋଜନାର ଲକ୍ଷ୍ୟ ହେଉଛି ୨ ବର୍ଷ ମଧ୍ୟରେ ଦେଶରେ ୩.୫ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା। ଏଥିମଧ୍ୟରୁ ୧.୯୨ କୋଟି ହିତାଧିକାରୀ ପ୍ରଥମ ଥର ପାଇଁ କର୍ମଶକ୍ତିରେ ପ୍ରବେଶ କରିବେ। ଏହି ଯୋଜନାର ଲାଭ ୧ ଅଗଷ୍ଟ, ୨୦୨୫ ରୁ ୩୧ ଜୁଲାଇ, ୨୦୨୭ ମଧ୍ୟରେ ସୃଷ୍ଟି ହୋଇଥିବା ନିଯୁକ୍ତି ପାଇଁ ପ୍ରଯୁଜ୍ୟ ହେବ।
ଏହି ଯୋଜନାର ଦୁଇଟି ଅଂଶ ଅଛି, ପ୍ରଥମ ଥର ଆବେଦନକାରୀଙ୍କ ଉପରେ ଭାଗ-କ ଏବଂ ନିଯୁକ୍ତିଦାତାଙ୍କ ଉପରେ ଭାଗ-ଖ କେନ୍ଦ୍ରିତ:
ଭାଗ କ: ପ୍ରଥମ ଥର କାମ କରୁଥିବା କର୍ମଚାରୀଙ୍କ ପାଇଁ ପ୍ରୋତ୍ସାହନ:
ଇପିଏଫଓରେ ପଞ୍ଜିକୃତ ପ୍ରଥମ ଥର ପାଇଁ କର୍ମଚାରୀଙ୍କୁ ଦୃଷ୍ଟିରେ ରଖି, ଏହି ଭାଗ ଦୁଇଟି କିସ୍ତିରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଏକ ମାସର ଇପିଏଫ ଦରମା ପ୍ରଦାନ କରିବ। ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଥିବା କର୍ମଚାରୀମାନେ ଏଥିପାଇଁ ଯୋଗ୍ୟ ହେବେ। ପ୍ରଥମ କିସ୍ତି ୬ ମାସର ସେବା ପରେ ଏବଂ ଦ୍ୱିତୀୟ କିସ୍ତି ୧୨ ମାସର ସେବା ଏବଂ କର୍ମଚାରୀଙ୍କ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ପ୍ରଦାନ କରାଯିବ। ସଞ୍ଚୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ, ପ୍ରୋତ୍ସାହନ ରାଶିର ଏକ ଅଂଶ ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ଜମା ଖାତାର ସଞ୍ଚୟ ଉପକରଣରେ ରଖାଯିବ ଏବଂ ପରବର୍ତ୍ତୀ ସମୟରେ କର୍ମଚାରୀ ଏହାକୁ ଉଠାଇପାରିବେ।
ଭାଗ କ ପ୍ରଥମ ଥର କାମ କରୁଥିବା ପ୍ରାୟ ୧.୯୨ କୋଟି କର୍ମଚାରୀଙ୍କୁ ଲାଭ ଦେବ।
ଭାଗ ଖ: ନିଯୁକ୍ତିଦାତାଙ୍କୁ ସହାୟତା:
ଏହି ଭାଗ ସମସ୍ତ କ୍ଷେତ୍ରରେ ଅତିରିକ୍ତ ନିଯୁକ୍ତି ସୃଷ୍ଟିକୁ ଅନ୍ତର୍ଭୂକ୍ତ କରିବ, ବିଶେଷ ଭାବରେ ଉତ୍ପାଦନ କ୍ଷେତ୍ର ଉପରେ ଧ୍ୟାନ ଦିଆଯିବ। ନିଯୁକ୍ତିଦାତାମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଥିବା କର୍ମଚାରୀଙ୍କ ପାଇଁ ପ୍ରୋତ୍ସାହନ ପାଇବେ। ସରକାର ଅତି କମରେ ଛଅ ମାସ ପାଇଁ ନିରନ୍ତର ନିଯୁକ୍ତି ସହିତ ପ୍ରତ୍ୟେକ ଅତିରିକ୍ତ କର୍ମଚାରୀଙ୍କ ପାଇଁ ଦୁଇ ବର୍ଷ ପାଇଁ ପ୍ରତି ମାସରେ 3000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେବେ। ଉତ୍ପାଦନ କ୍ଷେତ୍ର ପାଇଁ ତୃତୀୟ ଏବଂ ଚତୁର୍ଥ ବର୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନକୁ ବିସ୍ତାର କରାଯିବ।
ଇପିଏଫଓରେ ପଞ୍ଜିକୃତ ପ୍ରତିଷ୍ଠାନଗୁଡ଼ିକୁ ଅତି କମରେ ଛଅ ମାସ ପାଇଁ ନିରନ୍ତର ଭିତ୍ତିରେ ଅତି କମରେ ଦୁଇ ଜଣ ଅତିରିକ୍ତ କର୍ମଚାରୀ (୫୦ ରୁ କମ୍ କର୍ମଚାରୀ ଥିବା ନିଯୁକ୍ତିଦାତାଙ୍କ ପାଇଁ) କିମ୍ବା ପାଞ୍ଚ ଜଣ ଅତିରିକ୍ତ କର୍ମଚାରୀ (୫୦ କିମ୍ବା ଅଧିକ କର୍ମଚାରୀ ଥିବା ନିଯୁକ୍ତିଦାତାଙ୍କ ପାଇଁ)ଙ୍କୁ ନିଯୁକ୍ତି ଦେବାକୁ ପଡିବ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ