ଗଞାମ, ୧୪ ଜୁଲାଇ (ହି.ସ.)-
ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଡ଼େଙ୍ଗୁ ରୋଗ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ବର୍ଷା ଦିନ ଆରମ୍ଭରେ ଡେଙ୍ଗୁ ବା ଦଣ୍ଡାପତାନକ ନହେବା ପାଇଁ ସଚେତନ କରି କହିଲେ ମଶା ଡେଙ୍ଗୁର କାରଣ, ମଶା ନବଢ଼ିବା ପାଇଁ ଘର ଚାରିପାଖରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ। ମଶାରୀ ଟାଙ୍ଗୀ କିମ୍ବା ନିମ୍ବ ତେଲ ଲଗାଇ ଶୁଅନ୍ତୁ। ପ୍ରତିଷେଧ ପାଇଁ କଣ୍ଟା ମାରିଶ ମୂଳ ତିନି ଗ୍ରାମ ସକାଳୁ ସାତ ଦିନ ଖାଆନ୍ତୁ। ମୁଖ୍ୟ ଲକ୍ଷଣ ସବୁ ସନ୍ଧି ସ୍ଥାନ, ଚକ୍ଷୁ ପଛ ଭାଗ ବ୍ୟଥା, କମ୍ପ ଜ୍ୱର, ଦୁର୍ବଳ ବୋଧହୁଏ । ରକ୍ତଚାପ କମିଯାଏ।ଦେହରେ ନାଲି ନାଲି ଦାଗ ହୁଏ। ଅଧିକ ଲେମ୍ବୁ ଲୁଣ ମଧୁ ମିଶ୍ରିତ ଜଳ ପିଅନ୍ତୁ। ଜ୍ୱର ଓ ସନ୍ଧି ବ୍ୟଥା କମିବା ଯାଏଁ ଗଙ୍ଗଶିଉଳି ପତ୍ର ରସ, ଗୁଳୁଚି, ଶୁଣ୍ଠି ଦିନରେ ତିନି ଥର ଖାଆନ୍ତୁ। ଅଣୁଚକ୍ରିକା ରକ୍ତରେ କମିଲେ ଅମୃତଭଣ୍ଡା ପତ୍ର ରସ ପିଅନ୍ତୁ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା।ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ l
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ